
ଝାରସୁଗୁଡା- ଏକ ଚୋରି ମାମଲାର ତଦନ୍ତ କରି ଝାରସୁଗୁଡ଼ା ପୁଲିସ ଘଟଣାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି।
ଇନ୍ସପେକ୍ଟର ପବିତ୍ର କିସାନଙ୍କ ସୂତ୍ରରୁ ପ୍ରକାଶ ଯେ, ଗତ ୨୧ ତାରିଖ ରାତିରେ ଝାରସୁଗୁଡ଼ା ସହର ଟାଟାଗଳି ତଳିପଡ଼ାର ନଜମା ବାନୋ ନାମକ ଜଣେ ମହିଳାଙ୍କ ଘରେ ଚୋର ପଶି ଘରେ ଥିବା ନଗଦ ଟଙ୍କା, ସୁନା ଅଳଙ୍କାର ପ୍ରଭୃତି ଚୋରି କରି ନେଇଥିଲେ। ୨୨ ତାରିଖ ଦିନ ଉକ୍ତ ମହିଳା ଏନେଇ ଟାଉନ ଥାନାରେ ଏତଲା ଦେବାପରେ ପୁଲିସ କେସ ନମ୍ବର ୬୮୦ରେ ଏକ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗତକାଲି ପୁଲିସ ଗିରଫ କରିଥିବା ୪ ଜଣ ଯୁବକଙ୍କୁ ଜେରା କରିବା ପରେ ସେମାନେ ଏହି ଚୋରିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ପୁଲିସ ଏମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ସୁନା ମୁଦି, ଗୋଟିଏ ମଙ୍ଗଳସୁତ୍ର ଲକେଟ, ଛୋଟ ଛୁଆଙ୍କ କାନଫୁଲ, ରୁପା ପାଉଁଜି ୩ ହଳ, ଅଣ୍ଟାସୂତା, ଗୋଡ଼ମୁଦି ୬ ଟା, ହାତମୁଦି ୨ଟା ସହିତ ୪ ହଜାର ଟଙ୍କା ନଗଦ ଜବତ ହୋଇଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ମଙ୍ଗଲବଜାର ନୂଆପଡ଼ାର ଆକାଶ ସେମିଲିଆ (୨୪), ମଙ୍ଗଲବଜାରର ରାକେଶ ସିନ୍ଧି (୨୩), ସୁନ୍ଦରଗଡ଼ ରାଣୀବଗିଚାର ରୋହନ ଗୁପ୍ତା (୧୯) ଓ ଏଚ୍ କଟାପାଲି ଗ୍ରାମର ଭୁବନ ସେଠ ( ୩୦) । ଏମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୪୫୭ ଓ ୩୮୦ ଦଫାରେ ମାମଲା ଦାୟର କରାଯାଇଛି। ଅାଜି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି ।