-
ସାରା ରାଜ୍ୟରେ ସଂଧ୍ୟା ୬ଟାରୁ ନାଇଟ୍ କର୍ଫ୍ୟୁ
-
୨୦ ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ସଟ୍ ଡାଉନ୍ , ଚାଲିବ ବସ୍
-
ଅନ୍ୟ ୧୦ ଜିଲ୍ଲାରେ ସକାଳ ୬ରୁ ଅପରାହ୍ନ ୨ଟା କଟକଣା କୋହଳ

ଭୁବନେଶ୍ୱର, ରାଜ୍ୟରେ ଆଂଶିକ ଲକଡାଉନକୁ ଆସନ୍ତା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ସଂକ୍ରମଣ କମିଥିବାରୁ କାଟେଗୋରୀ ଏ କୁ ଆଉ ୩ ଜିଲ୍ଲା (ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର) ଉନ୍ନୀତ ହୋଇଛି । ଏଥିସହ ରାଜ୍ୟର ମୋଟ ୨୦ଟି ଜିଲ୍ଲାକୁ କ୍ୟାଟେଗୋରୀ –ଏ ରେ ରଖାଯାଇଥିବାବେଳେ ଉପକୂଳବର୍ତୀ ୧୦ଟି ଜିଲ୍ଲାକୁ କ୍ୟାଟେଗୋରୀ –ବି ରେ ରଖାଯାଇଛି । କ୍ୟାଟେଗୋରୀ –ଏ ରେ ଥିବା ୨୦ଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ଥିବାରୁ ସେଠାରେ ସପ୍ତାହାନ୍ତ ସଟଡାଉନକୁ ହଟାଇଦିଆଯାଇଥିବାବେଳେ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ସଂଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗୁ ହେବ । ଏହି ୨୦ଟି ଜିଲ୍ଲାରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦିଆଯାଇଛି । ଇନ୍ ଡୋର ଓ ଆଉଟଡୋର ସୁଟିଂକୁ ମଧ୍ୟ ଅନୁମତି ମିଳିଛି । ସାପ୍ତାହିକ ହାଟ ଓ ମାର୍କେଟ ଓ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ।
ଅନ୍ୟପକ୍ଷରେ, କ୍ୟାଟେଗୋରୀ –ବି ରେ ଥିବା ୧୦ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା । ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ । ଏସବୁ ଜିଲ୍ଲାରେ ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ।
ଏହି ୧୦ ଟି ଜିଲ୍ଲାରେ ଦିନ ୨ଟା ପରେ ଜରୁରୀ ଜିନିଷ ବିକ୍ରି କରୁଥିବା ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ । କେବଳ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ଉଠା ଦୋକାନ ଖୋଲିବାକୁ ଅନୁମତି ମିଳିବ । ତେବେ କେବଳ ପାର୍ସଲ ନେଇପାରିବେ ଲୋକେ । କରୋନା କଟକଣା ସହ ଛୋଟ ସେଲୁନ ମଧ୍ୟ ଖୋଲି ପାରିବ ।
ରାଜ୍ୟରେ ପୂର୍ବଭଳି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ବନ୍ଦ ରହିବ । ଏଥିସହ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବଭଳି ନୀତି ନିୟମ ଲାଗୁ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO