-
ଗୋଟିଏ ସପ୍ତାହ ମଧ୍ୟରେ ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ ସମ୍ପର୍କରେ ସୂଚନା ଦେବ ଏନପିପିଏ
ନୂଆଦିଲ୍ଲୀ, କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ ନିକଟରେ ଅକ୍ସିଜେନ କନସେେଂଟ୍ରଟରଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ସିଜେନ କନସେେଂଟ୍ରଟରଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ ପାଇଁ ତତ୍ପରତାପୂର୍ବକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର ସଂଗ୍ରହ କରିଥିବା ସୂଚନା ଅନୁଯାୟୀ ବର୍ତମାନ ବିତରକ ସ୍ତରରେ ବିକ୍ରୟ ସୀମା ୧୯୮%କୁ ବୃଦ୍ଧି ପାଇଛି ।ବ୍ୟାପକ ଜନହିତକୁ ଦୃଷ୍ଟିରେ ରଖି ଡିପିସିଓ, ୨୦୧୩ର ପାରା ୧୯ ଅଧୀନରେ ପ୍ରଦତ୍ତ ଅସାଧାରଣ କ୍ଷମତାକୁ କାର୍ଯ୍ୟକାରୀ କରି ଏନପିପିଏ ଅକ୍ସିଜେନ କନସେେଂଟ୍ରଟରଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରଣ କରିଛି । ବିତରକଙ୍କୁ ଦିଆଯାଉଥିବା ମୂଲ୍ୟର ସୀମା ସର୍ବାଧିକ ୭୦% ରହିବ । ଏଥିପୂର୍ବରୁ ଫେବୃଆରୀ ୨୦୧୯ରେ ଏନପିପିଏ ପକ୍ଷରୁ ସଫଳତା ପୂର୍ବକ କ୍ୟାନସର ନିରୋଧୀ ଔଷଧ ଉପରେ ସୀମା ନିର୍ଦ୍ଧାରଣ କରାଯାଇଥିଲା । ବିଜ୍ଞପିତ କାରବାର ସୀମାକୁ ଆଧାର କରି ତିନି ଦିନ ମଧ୍ୟରେ ସଂଶୋଧିତ ଏମଆରପି ସମ୍ପର୍କରେ ରିପୋର୍ଟ କରିବାକୁ ଏନପିପିଏ ପକ୍ଷରୁ ଉତ୍ପାଦକ ଓ ରପ୍ତାନିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉତ୍ପାଦନକାରୀ ଯୋଗାଇ ଦେଇଥିବା ମୂଲ୍ୟର ତାଲିକା ସମସ୍ତ ଖୁଚୁରା ବ୍ୟବସାୟୀ, ଡିଲର, ଡାକ୍ତରଖାନା ଓ ସଂସ୍ଥାନ କର୍ତୃପକ୍ଷ ସେମାନଙ୍କ କାରବାର ପରିସରର ଏକ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରିବେ, ଯାହାଫଳରେ ଏ ସମ୍ପର୍କରେ ପରାମର୍ଶ ଚାହୁଁଥିବା ଯେକୌଣସି ବ୍ୟକ୍ତି ଏହା ସହଜରେ ଦେଖିପାରୁଥିବେ । ଯେଉଁ ଉତ୍ପାଦନକାରୀ/ରପ୍ତାନିକାରୀ ବିକ୍ରି ସୀମା ନିର୍ଦ୍ଧାରଣ ପରେ ସଂଶୋଧିତ ଏମଆରପିକୁ ପାଳନ କରିବେ ନାହିଁ ସେମାନଙ୍କୁ ଅତିରିକ୍ତ ମୂଲ୍ୟ ୧୫ ପ୍ରତିଶତ ସୁଧ ସହିତ ଫେରାଇବାକୁ ପଡ଼ିବ ଏବଂ ଜୋରିମାନା ଆକାରରେ ଶତପ୍ରତିଶତ ମୂଲ୍ୟ ପରିଶୋଧ କରିବାକୁ ପଡ଼ିବ । ଔଷଧ (ମୂଲ୍ୟ ନିୟନ୍ତ୍ରଣ) ଆଦେଶ, ୨୦୧୩ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ ସେମାନେ ଏହି ଦଣ୍ଡର ଭାଗୀ ହେବେ ।
କୌଣସି ଉତ୍ପାଦନକାରୀ, ବିତରକ, ଖୁଚୁରା ବ୍ୟବସାୟୀ ସଂଶୋଧିତ ମୂଲ୍ୟ ଠାରୁ ଅଧିକ ଦରରେ ଅକ୍ସିଜେନ ବିକ୍ରି କରୁଥିଲେ, ଏହାର କଳାବଜାର ରୋକିବା ନିମନ୍ତେ ରାଜ୍ୟ ଔଷଧ ନିୟନ୍ତ୍ରକମାନେ ଉପରୋକ୍ତ ଆଦେଶର ଅନୁପାଳନ ସୁନିଶ୍ଚିତ କରିବେ ।ଏହି ଆଦେଶ ୩୦ ନଭେମ୍ବର, ୨୦୨୧ ପର୍ଯ୍ୟନ୍ତ ଲାଗୁ ହେବ, ତେବେ ଏହାର ସମୀକ୍ଷା କରାଯାଇପାରେ ।
କରୋନା ମହାମାରୀର ଦ୍ୱିତୀୟ ଲହରୀ ବ୍ୟାପିବା ସମୟରେ ଦେଶରେ ମେଡ଼ିକାଲ ଅକ୍ସିଜେନର ଚାହିଦା ବୃଦ୍ଧି ପାଇଛି । ସରକାର ମହାମାରୀ ସମୟରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଓ ଅକ୍ସିଜେନ କନସେେଂଟ୍ରଟର ବାଧାମୁକ୍ତ ଭାବେ ଯୋଗାଇ ଦେବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅକ୍ସିଜେନ କନସେେଂଟ୍ରଟର ହେଉଛି ଏକ ଅଣ-ଅନୁସୂଚିତ ଔଷଧ ଏବଂ ଏହା ବର୍ତମାନ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ଲାଇସେନ୍ସ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଛି । ଡିପିସିଓ ୨୦୧୩ର ବ୍ୟବସ୍ଥା ଅନୁଯାୟୀ ଏହାର ମୂଲ୍ୟକୁ ନିରୀକ୍ଷଣ କରାଯାଉଛି ।