ନୂଆଦିଲ୍ଲୀ, ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’ ମେ ୨୬, ୨୦୨୧ରେ ଓଡ଼ିଶା ଉପକୂଳ ବାଲେଶ୍ୱର ଠାରୁ ଦକ୍ଷିଣରେ ୨୦ କିମି ଦୂରରେ ସ୍ଥଳ ଭାଗରେ ମାଡ଼ ହୋଇଥିଲା । ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ ଅଂଚଳରେ ବ୍ୟାପକ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯିବା ଫଳରେ ବହୁ ଧନଜୀବନର ସୁରକ୍ଷା ହୋଇପାରିଛି ।
ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ରରେ ଥିବା ଥିବା ୨୬୫ଟି ମାଛଧରା ଡଙ୍ଗାକୁ କୂଳକୁ ଅଣାଯାଇଥିଲା । ଆହୁରି, ପରାମର୍ଶ ମୁତାବକ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ନଙ୍ଗର ପକାଇଥିବା ଜାହାଜଗୁଡ଼ିକୁ ନିରାପଦ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା ଏବଂ ସିଙ୍ଗଲ ପଏଂଟ ମୁରିଂ (ଏସପିଏମ) କାର୍ଯ୍ୟକୁ ବାତିଲ କରାଯାଇଥିଲା । କୌଣସି ବାଣିଜ୍ୟିକ ଜାହାଜର କ୍ଷତି କିମ୍ବା ନିଖୋଜ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିନାହିଁ ।
ସାମୁଦ୍ରିକ ଝଡ଼ ପରବର୍ତ୍ତୀ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପୂର୍ବ ସାମୁଦ୍ରିକ ଉପକରେ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଉପକୂଳ, ସାମୁଦ୍ରିକ ଓ ବିମାନ ୟୁନିଟ ଉଚ୍ଚସ୍ତରୀୟ ପ୍ରସ୍ତୁତି ସହିତ ସଜାଗ ରହିଛି । ତଟରକ୍ଷୀ ବାହିନୀର ତିନୋଟି ଜାହାଜକୁ ସମ୍ଭାବ୍ୟ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ସମୁଦ୍ରରେ ରଣନୈତିକ ଦୃଷ୍ଟିରୁ ମୁତୟନ କରାଯାଇଥିଲା, ସେଗୁଡ଼ିକ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ରହିଛନ୍ତି ଏବଂ ଉପକୂଳର ପରିସ୍ଥିତିର ଆକଳନ କରିବା ସହିତ ସେହି ଅଂଚଳରେ ବିଶୋଧନ କାର୍ଯ୍ୟ କରୁଛନ୍ତି ।
ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ଦୀଘା ଓ କନ୍ତେଇ ଠାରେ ସହାୟତା ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି । ପଶ୍ଚିମବଙ୍ଗର ନୟାଚାରାରେ ଫସି ରହିଥିବା ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ତଟରକ୍ଷୀ ବାହିନୀର ଏୟାର କୁଶନ ବାହନ ଉଦ୍ଧାର କରିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କନ୍ତେଇ ଠାରେ ଉଦ୍ଧାର ପ୍ରକ୍ରିୟାରେ ତଟରକ୍ଷୀ ବାହିନୀର ବିପର୍ଯ୍ୟୟ ମୁକାବିଲା ଦଳ ସହାୟତା ଯୋଗାଇ ଦେଉଛନ୍ତି । ତଟରକ୍ଷୀ ବାହିନୀର ଅନ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଆବଶ୍ୟକତା ପଡ଼ିଲେ ସହାୟତା ଯୋଗାଇ ଦେବା ଲାଗି ଉଦ୍ଧାରକାରୀ ଡଙ୍ଗା, ଜୀବନରକ୍ଷାକାରୀ ସରଞ୍ଜାମ ଓ ଜୀବନରକ୍ଷାକାରୀ ଜ୍ୟାକେଟ୍ ସହିତ ପ୍ରସ୍ତୁତ ରହିଛନ୍ତି । ତୁରନ୍ତ ପରିବହନ ପାଇଁ ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି ।
ସମୁଦ୍ରରେ ଡଙ୍ଗା, ପୋତ, ସ୍ଥାୟୀ ମଂଚ ଓ ଅନ୍ୟ ସମ୍ପତ୍ତିର ସୁରକ୍ଷା ପାଇଁ ରାଜ୍ୟ ପ୍ରଶାସନ, ସ୍ଥାନୀୟ କର୍ତ୍ତୃପକ୍ଷ, ବନ୍ଦର, ତୈଳ ରିଗ ପରିଚାଳକ, ଜାହାଜ ଚଳାଚଳ, ମତ୍ସ୍ୟପାଳନ କର୍ତ୍ତୃପକ୍ଷ, ମତ୍ସ୍ୟଜୀବୀ ସଂଘ ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ନିବିଡ଼ ସମନ୍ୱୟ ଓ ସମ୍ପର୍କ ସ୍ଥାପନ କରାଯାଇଛି ।