
ନୂଆଦିଲ୍ଲୀ, ମନୁଷ୍ୟ ଜୀବନର ପ୍ରଥମ ହଜାରେ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏଥିରେ କୌଣସି ପ୍ରକାରର ହେଳା କଲେ କୁ-ପୋଷଣର ଶୀକାର ହେବା ପ୍ରାୟତଃ ନିଶ୍ଚିତ ବୋଲି ୟୁନିସେଫର ପୁଷ୍ଟି ବିଶାରଦ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି । ରାଷ୍ଟ୍ରୀୟ ପୁଷ୍ଟି ପକ୍ଷ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ରସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ସ୍ୱାସ୍ଥ୍ୟ ଏବଂ ପୋଷଣ’ ଶୀର୍ଷକ ଏକ ୱେବିନାରରେ ଆଲୋଚନା କରି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ-ଗର୍ଭଧାରଣ ଦିନଠାରୁ ହଜାରେ ଦିନ ପର୍ଯ୍ୟନ୍ତ, ଅନ୍ୟଭାବରେ କହିଲେ ଦୁଇବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଜୀବନ ପୋଷଣ କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ । ଏହି ହଜାରେ ଦିନ ମଧ୍ୟରେ ମା’ ଏବଂ ଶିଶୁର ଖାଦ୍ୟରେ ପୋଷକ ତତ୍ୱର ଅଭାବ ହେଲେ ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି ଉପଯୁକ୍ତ ଭାବରେ ହୋଇପାରେ ନାହିଁ ବୋଲି ସେ କହିଛନ୍ତି । ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିଭିନ୍ନ କାରଣ ପାଇଁ ଓଡିଶାରେ ଅନ୍ୟ ରାଜ୍ୟ ତୁଳନାରେ ଶିଶୁ ମୃତ୍ୟୁହାର ଅଧିକ । ସେଥିମଧ୍ୟରୁ କୁ-ପୋଷାଣ ଅନ୍ୟତମ କାରଣ । ଓଡିଶାର ଆଇନଗତ ଭାବରେ ବିବାହ ବୟସଠାରୁ ନିମ୍ନରେ ଝିଅମାନଙ୍କୁ ବିବାହ କରାଇ ଦିଆଯାଉଛି । ଏହାଫଳରେ କମ୍ ଓଜନର ଶିଶୁ ଜନ୍ମ ହେବା ସହ କୁପୋଷଣ ଜନିତ ସମସ୍ୟା ବୃଦ୍ଧି ପାଉଛି । କୁ-ପୋଷଣ ଦୂର ପାଇଁ ଜନ୍ମ ପରେ ପରେ ସ୍ତନ୍ୟପାନ, ଟୀକାକରଣ, ଜନ୍ମରୁ ପ୍ରଥମ ଛଅ ମାସ କେବଳ ସ୍ତନ୍ୟପାନ, ସପ୍ତମମାସଠାରୁ ସ୍ତନ୍ୟପାନ ସହିତ ବାହାର ତରଳ ଖାଦ୍ୟ ଖୁଆଇବା, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର, ଉପଯୁକ୍ତମାତ୍ରାରେ ଶିଶୁଙ୍କୁ ଖୁଆଇବା ଭଳି ଦଶଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ମନସ୍ତତ୍ୱବିତ୍ ତଥା ସମାଜସେବୀ ଡଃ ରୀନି ମହାନ୍ତି ଭାଗ ନେଇ ଖାଦ୍ୟରେ ଲୌହସାର, କ୍ୟାଲସିୟମ, ଭିଟାମିନ୍, ପ୍ରୋଟିନ ଏବଂ ସ୍ନେହସାର ଅଭାବ ରହିଲେ ପୁଷ୍ଟିହୀନତା ଦେଖାଯାଏ ବୋଲି ସେ କହିଥିଲେ । ପୁଷ୍ଟିହୀନତାର ଶିକାର ହୋଇଥିବା ମା’ ପୁଷ୍ଟିହୀନ ସନ୍ତାନ ପ୍ରସବ କରିଥାନ୍ତି । ପୁଷ୍ଟିହୀନତା ଦୂରୀକରଣ ନିମନ୍ତେ ବିଭିନ୍ନ ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବୋଲି ସେ କହିଥିଲେ । ପ୍ରସଙ୍ଗ କ୍ରମେ ସରକାରୀ ଡାକ୍ତରଖାନାରେ ପ୍ରସବ, ପ୍ରସବ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଯତ୍ନ ନିଶୁଳ୍କ ଭାବରେ ନିଆଯାଏ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ସମସ୍ତ ଗର୍ଭବତୀଙ୍କ ପ୍ରସବ ଡାକ୍ତରଖାନାରେ କରାଇବା ପାଇଁ ଯୋଜନା କରାଯାଇ ଗର୍ଭାବସ୍ଥାରୁ ଲୌହସାର ବଟିକା ଦେବା ଓ ପୁଷ୍ଟିକର ଖାଦ୍ୟ ଦେବା ଓ ଆବଶ୍ୟକ ପଡିଲେ ରକ୍ତ ଦେବା ଭଳି ସେବା ସରକାରୀ ଡାକ୍ତରଖାନା ଗୁଡିକରେ ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ । ଏଥିପାଇଁ ଆମ୍ବୁଲାନ୍ସ ସେବା ମଧ୍ୟ ସରକାର ନିଶୁଳ୍କଭାବେ ଯୋଗାଇ ଦେଉଥିବା ସୂଚନା ଦେଇଥିଲେ । ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ମା’ ଏବଂ ସୁସ୍ଥ ଶିଶୁ ଉପରେ ଗୁରୁତ୍ୱ ଦେଇ କୁ-ପୋଷଣ ଦୂର କରିବା କ୍ଷେତ୍ରରେ ବିଭିନ୍ନ ଉପାଦେୟ ସୂଚନା ଦେଇଥିଲେ । ପତ୍ରସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ୱେବିନାର ସମ୍ପର୍କରେ ସୂଚନା ଦେଇ କୁ-ପୋଷଣ ଦେଶର ଏକ ସମସ୍ୟା ବୋଲି କହିଥିଲେ । ଏହାକୁ ଦୂର କରିବା ନିମନ୍ତେ ଗଣଯୋଗାଯୋଗ ବ୍ୟବସ୍ଥାର ଉପଯୋଗ ପାଇଁ ମତ ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା ଏକ ଉଚିତ ପଦକ୍ଷେପ ବୋଲି ସେ କହିଥିଲେ ।
ଆଞ୍ଚଳିକ ଜନସୂଚନା କାର୍ଯ୍ୟାଳୟ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ପ୍ରସଙ୍ଗରେ ମନୁଷ୍ୟ ଶରୀରର ବୃଦ୍ଧି ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସମାନ ରୂପରେ ହେବା ଆବଶ୍ୟକ ବୋଲି କହିଥିଲେ । ପୁଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ସମସ୍ତେ ସଚେତନ ହେବା ଉଚିତ ବୋଲି ସେ ମତ ଦେଇଥିଲେ ।
ଏହି ଆଲୋଚନାଚକ୍ରରେ ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦଦାତା ତଥା ଆଞ୍ଚଳିକ ଜନସୂଚନା କାର୍ଯ୍ୟାଳୟର ଅଧିକାରୀ ଓ ପତ୍ରସୂଚନା କାର୍ଯ୍ୟାଳୟର ଅଧିକାରୀ/କର୍ମଚାରୀ ଏବଂ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଅଂଶଗ୍ରହଣ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଆଲୋଚନାର ସଂଯୋଜନା କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର କୁମାର ଜେନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO