ନୂଆଦିଲ୍ଲୀ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ସଲିଡ ଫୁଏଲ ଡକ୍ଟେଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ସ୍ଥଳୀରୁ ମାର୍ଚ୍ଚ ୦୫, ୨୦୨୧ ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଏହାର ସଫଳ ଆକାଶମାର୍ଗ ପରୀକ୍ଷଣ (ଫ୍ଲାଇଟ୍ ଟେଷ୍ଟ) କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା । ଏହି ପରୀକ୍ଷଣ ସମୟରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତି ସହିତ ବହୁ ନୂତନ ପ୍ରଯୁକ୍ତି ପ୍ରମାଣିତ ହୋଇଥିଲା ।
ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତିର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ଲାଭ ମିଳିପାରିଛି । ଯାହାଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହୋଇପାରିବ । ବର୍ତ୍ତମାନ ବିଶ୍ୱର ମାତ୍ର ହାତଗଣତି କେତୋଟି ଦେଶ ନିକଟରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି । ଏହାଛଡ଼ା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ୍ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ ।
କ୍ଷେପଣାସ୍ତ୍ରର ପ୍ରଦର୍ଶନକୁ ଆଇଟିଆର ପକ୍ଷରୁ ନିୟୋଜିତ ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଓ ଟେଲିମେଟ୍ରି ଉପକରଣ ସହାୟତାରେ ନିରୀକ୍ଷଣ କରାଯାଇଥିଲା । ଏହା ମିଶନ ଲକ୍ଷ୍ୟର ସଫଳତାକୁ ସୁନିଶ୍ଚିତ କରିଥିଲା । ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବ୍ରୋଟୋରୀ (ଡିଆରଡିଏଲ), ରିସର୍ଚ୍ଚ ସେଣ୍ଟ ଇମାରତ (ଆରସିଆଇ) ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ (ଏଚଇଏମଆରଏଲ) ସମେତ ବିଭିନ୍ନ ଡିଆରଡିଓ ଲ୍ୟାବର ବରିଷ୍ଠ ବୈଜ୍ଞାନିକମାନେ ଏହି ନିକ୍ଷେପଣକୁ ଅନୁଧ୍ୟାନ କରିଥିଲେ ।
ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁ ସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣରେ ସମ୍ପୃକ୍ତ ଦଳକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।