ଗଞ୍ଜାମ,ଆଇପିଏଲ୍ ର ମୁଖ୍ୟ ବୁକି ଦିନେଶ ରାଠୀକୁ କୋଲକାତାରୁ ଗିରଫ କରି ବ୍ରହ୍ମପୁର ଆଣିବା ପରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏହାପରେ ତାକୁ ଜେଲ୍ ହାଜତକୁ ପଠାଯିବ । ତାକୁ ପରବର୍ତି ସମୟରେ ପୁଣି ବ୍ରହ୍ମପୁର ପୋଲିସ ୫ ଦିନିଆ ରିମାଣ୍ଡରେ ଆଣି ଘଟଣା ସମ୍ପର୍କରେ ଖୋଳତାଡ଼ କରିବ ବୋଲି ବ୍ରହ୍ମପୁର ପୋଲିସ ଏସପି ଶ୍ରୀ ପିନାକ ମିଶ୍ର ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁର ସାଇବର୍ ଥାନା ପୋଲିସ କୋଲକାତାରୁ ଦିନେଶକୁ ଧରିବାରେ ସଫଳ ହୋଇଥିଲା । ଦିନେଶର ଲିଙ୍କ୍ ଦୁବାଇ ସହ ରହିଛି । ଦିନେଶ ଦ୍ୱାରା ଏଠାକାର କିଛି ବୁକି ଲାଇନ୍ ଆଣି ବ୍ରହ୍ମପୁର ସହରରେ ଏହି ଖେଳ ଚଳାଇଥିଲେ । ପୋଲିସ ୪ ମାସ ପୂର୍ବେ ସହରର ଖାସ୍ ସବ୍ ବୁକି ଲାଲି ଆଚାରୀ ଏବଂ ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୩୩ ଲକ୍ଷ ଟଙ୍କା ଜବତ କରିଥିଲା । ଏଥିସହ ପରେ ପୁଣି ୬ ଜଣ ବୁକି ଗିରଫ ହୋଇ ଜେଲ୍ ଯାଇଥିଲେ । ପରବର୍ତି ସମୟରେ ସେମାନେ ଜାମିନ୍ ରେ ଆସିଥିଲେ । ହେଲେ ଏବେ ମୁଖ୍ୟ ବୁକି ଦିନେଶ ଗିରଫ ହେବା ପରେ ପୋଲିସ ସମ୍ପୂର୍ଣ୍ଣ ମାମଲାର ଖୋଳତାଡ଼ ପୁଣି ଥରେ ଆରମ୍ଭ କରିଛି । ଆଇପିଏଲ୍ ଖେଳ ଆରମ୍ଭ ହେବାର ମାତ୍ର କିଛି ଦିନ ପୂର୍ବରୁ ଏହା ପୋଲିସ ପାଇଁ ଏକ ବଡ଼ ସଫଳତା ହୋଇଥିବା ବେଳେ ବୁକିଙ୍କ ପାଇଁ ଝଟକା ବୋଲି କୁହାଯାଉଛି ।