-
ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ଅନୁରୋଧ କଲେ ପୁଲିସ୍ ମହାନିର୍ଦ୍ଦେଶକ
ଭୁବନେଶ୍ୱର– ସାଧାରଣତନ୍ତ୍ର ଦିବସ ପରେଡରେ ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି କଂଟିଜେଂଟ ଭାଗ ନେବେ ।ଆଜି ସାଧାରଣତନ୍ତ୍ର ଦିବସ ପରେଡର ଶେଷ ରିହରସଲ ଦେଖିବା ପରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଏଥର ପରେଡରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍ କରିବୁ, ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଅନୁମତି ନ ଥିଲେ ବି ସେମାନେ ଆମ ସହ ରହିଛନ୍ତି ।
ସେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ପୁଣିଥରେ ଆହ୍ୱାନ ଦେଇଛନ୍ତି । ମାଓବାଦୀମାନେ ପ୍ରତିବର୍ଷ ଜାନୁଆରୀ୨୬କୁ ବର୍ଜନ କରନ୍ତି । କିନ୍ତୁ ସେମାନଙ୍କୁ ଅନୁରୋଧ ସେମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହୁଅନ୍ତୁ ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ।
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ଏବଂ ୧୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।