ଗଞ୍ଜାମ– ନିର୍ମାଣ ଶ୍ରମିକଙ୍କୁ ନକଲି ପରିଚୟ ପତ୍ର ଦେଇ ଠକେଇ ଘଟଣାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁରୁଷୋତମପୁର, କବିସୂର୍ଯ୍ୟନଗର ଓ ଛତ୍ରପୁର ଥାନାରେ ମୋଟ୍ ତିନୋଟି ମାମଲା ରୁଜ୍ଜୁ ହୋଇଛି । ଏହି କ୍ରମରେ ଶ୍ରମ କାର୍ଯ୍ୟାଳୟ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଛତ୍ରପୁର ଥାନା ପୋଲିସ ମାମଲାରେ ୪ ଜଣଙ୍କୁ ଥାନାକୁ ଡାକି ଶ୍ରମ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ପଚରା ଉଚୁରା କରାଯାଉଛି ବୋଲି ତଦନ୍ତ ଅଧିକାରୀ ସତ୍ୟଜିତ୍ ବେଣିଆ ସୂଚନା ଦେଇଛନ୍ତି ।
ସେହିପରି ପୁରୁଷୋତମପୁର ଥାନାରେ ପୁରୁଷୋତମପୁରର ଜଣେ ଏବଂ ଦେଉଳପଲ୍ଲୀ ଗ୍ରାମର ଜଣକୁ ଡାକି ପଚରା ଉଚୁରା ଚାଲିଛି । କବିସୂର୍ଯ୍ୟନଗର ଥାନା ପକ୍ଷରୁ ମଧ୍ୟ ଏନେଇ ଖୋଳତାଡ଼ ଜାରୀ ରହିଛି । ଯେଉଁ ମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି ।
ଅନୁରୂପ ଭାବେ ଖଲ୍ଲିକୋଟ ବ୍ଲକ୍ ଦୁଆନପଲ୍ଲୀ ଗ୍ରାମର କେତେକ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ନକଲି ପରିଚୟ ପତ୍ର ଦେଇ ଠକେଇ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ସହକାରୀ ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ ତଦନ୍ତ କରି ୪ ଜଣ ହିତାଧିକାରୀଙ୍କ ବୟାନ୍ ରେକର୍ଡ଼ କରିଛନ୍ତି । ଆଜି ଏ ସଂକ୍ରାନ୍ତରେ ଖଲ୍ଲିକୋଟ ଥାନାରେ ଏତଲା ହୋଇଛି । ଏହି ଘଟଣାରେ ବିଭିନ୍ନ ଥାନାରେ ୬ ଜଣ ଅଟକ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।