
ପୁରୀ– ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଆଜି ଠାରୁ ଆରମ୍ଭ ହେଉଛି । ଏହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ଶୋଭାଯାତ୍ରାରେ ନିଜେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଗୁଣ୍ତିଚା ମନ୍ଦିର ଠାରୁ ବାହରି ଭିଆଇପି ରୋଡ ଓ ସ୍ବର୍ଗଦ୍ବାର ଦେଇ ଟାଉନହଲ ନିକଟରେ ପହଞ୍ଚିଥିଲା । ଏଥିସହ ସଡକ ସୁରକ୍ଷା ରଥର ମଧ୍ୟ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲିବା ସହ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବ । ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଗାଡି ଚାଳନା ଉପରେ ଜିଲ୍ଲାପାଳ ଓ ଅତିଥି ମାନେ ଗୁରୁତ୍ବ ଦେଇଥିଲେ । ଏତଦବ୍ୟତୀତ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ଆସନ୍ତାକାଲି ବସ୍ ମାଲିକ ସଂଘ ପକ୍ଷରୁ ବସଷ୍ଟାଣ୍ତରେ ଗାଡି ଚାଳକ ମାନଙ୍କ ନିମନ୍ତେ ଆଖି ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୱାଲ ପେଣ୍ଟି ପ୍ରତିଯୋଗିତା ଆୟୋଜନ କରାଯାଇଛି ।
ଆସନ୍ତା ୨୪ ତାରିଖରେ ସକାଳ ସମୟରେ ଗାନ୍ଧୀଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗାମେଢ, ଗୋଟିପୁଅ ନାଚ, ଦସ୍ତଖତ ଅଭିଯାନ, ବାଲୁକା କଳା ସହ ସଡକ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ସଡକ ସୁରକ୍ଷା ଉପରେ ହୋଡିଂ ଲଗାଯିବା ସହ ୧୦ ହଜାର ପ୍ରଚାରପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ । ଚକ୍ରତୀର୍ଥ ରୋଡରୁ ନେତାଜୀ ଛକ ପର୍ଯ୍ୟନ୍ତ ୨୦ଟି ସଡକ ସଚେତନାତା କିଓସ୍କ ପ୍ରଦର୍ଶିତ କରାଯାଇଛି । ଏତଦବ୍ୟତୀତ ଆଜିଠାରୁ ପୁଲିସ ସ୍କ୍ବାଡ୍ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଟ୍ରାଫିକ ଇନିସପେକ୍ଟର ଗୋକୁଳାନନ୍ଦ ଦାସ, ଟ୍ରାଫିକ ଇନିସପେକ୍ଟର ସୁଶାନ୍ତ ପାତ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO