
ଭୁବନେଶ୍ୱର– ମତ୍ସ୍ୟଚାଷ ପ୍ରତି ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ମତ୍ସ୍ୟ ବିଜ୍ଞାନୀମାନେ ଉଦ୍ୟମ କରିବା ଉଚିତ ବୋଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାଏରୀ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଭୁବନେଶ୍ୱର ଉପକଣ୍ଠରେ ଭାରତୀୟ କୃଷି ଅନୁସନ୍ଧାନ ଏବଂ ଗବେଷଣା ପରିଷଦ ଅଧୀନରେ ଥିବା କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ପ୍ରସଙ୍ଗରେ କହିଛନ୍ତି ଯେ, ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ଏବଂ ଉତ୍ପାଦନଭିତିକ ଗବେଷଣା ହେବା ଉଚିତ । ଏହି ପ୍ରସଙ୍ଗରେ ସେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ରାଜ୍ୟ ଏବଂ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ସହିତ ମଧୁରଜଳ ମତ୍ସ୍ୟଚାଷ ସମ୍ପର୍କିତ କୌଶଳକୁ ଚାଷୀମାନଙ୍କ ମଧ୍ୟରେ ବାଂଟିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିବା ଉଚିତ ବୋଲି କହିଛନ୍ତି । ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମାଂଚଳର ଯୁବଗୋଷ୍ଠୀଙ୍କୁ ମତ୍ସ୍ୟ ଉଦ୍ୟୋଗୀଭାବେ ଗଢି ତୋଳିବା ଆବଶ୍ୟକ । ୨୦୨୨ମସିହା ସୁଦ୍ଧା ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ଏହା ପୂରଣ କରିପାରିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଷଡଙ୍ଗୀ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ ପ୍ରତିଷ୍ଠାନର ଫାର୍ମ ବୁଲି ଦେଖିବା ସହିତ ଜୟନ୍ତୀରୋହି, ଭାକୁଡ, ମିରିକାଳି ଆଦି ବିଭିନ୍ନ ପ୍ରଜାତିର ଯାଆଁଳ ଉପରେ ଗବେଷଣା କରୁଥିବା ଗବେଷକ ଏବଂ କୃଷିବିଜ୍ଞାନ କେନ୍ଦ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ପୁନଃ ପ୍ରକ୍ରିୟାକରଣ ଜଳଜୀବ ଚାଷ ପ୍ରଣାଳୀକୁ ଉଦ୍ଘାଟନ ମଧ୍ୟ କରିଥିଲେ । ଏଥିସହିତ ମନ୍ତ୍ରୀ ମଧ୍ୟ ମଧୁର ଜଳରେ ମତ୍ସ୍ୟଚାଷ ସମ୍ପର୍କରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ସମ୍ବୋଧନ କରିବା ଅବସରରେ ମଧୁର ଜଳରେ ମତ୍ସ୍ୟଚାଷ ସମ୍ପର୍କିତ ଜ୍ଞାନକୌଶଳ ବର୍ଣ୍ଣନା ହୋଇଥିବା ୧୬ଟି ଓଡିଆ ପୁସ୍ତିକା ଉନ୍ମୋଚନ କରିଥିଲେ । ମନ୍ତ୍ରୀଙ୍କର ଏହି ପରିଦର୍ଶନକୁ ଓଡିଶାର ସମସ୍ତ ଜିଲ୍ଲାରେ ଥିବା କୃଷିବିଜ୍ଞାନ କେନ୍ଦ୍ରରେ ସିଧାସଳଖ ଟେଲିକାଷ୍ଟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କ ସହିତ ସଂଯୁକ୍ତ ସଚିବ ସାଗର ମେହେରା, ଡକ୍ଟର ଜେ. ବାଲାଜୀ, ଡକ୍ଟର ସି.ଶୁଭର୍ଣ୍ଣା, ଡକ୍ଟର ପବନ କୁମାର ଅଗ୍ରୱାଲ, ଆର. ରଘୁପ୍ରସାଦ, ଡକ୍ଟର ଏସ.କେ. ସ୍ୱାଇଁ ପ୍ରମୁଖ ଏହି ପରିଦର୍ଶନରେ ଯୋଗଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାନର ହ୍ୱାଟ୍ସଆପ୍ ଚ୍ୟାନେଲ ଏବଂ ଏକ ଟ୍ରେନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ ମନ୍ତ୍ରୀ କରିଥିଲେ । ମତ୍ସ୍ୟଚାଷ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ ଯୋଜନାର କର୍ମକର୍ତାମାନେ ମଧ୍ୟ ମନ୍ତ୍ରୀଙ୍କ ସହିତ ଯୋଗଦେଇଥିଲେ । ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଏହି ପ୍ରତିଷ୍ଠାନ ମଧୁର ଜଳ ମତ୍ସ୍ୟଚାଷ ସମ୍ପର୍କିତ ୨୩ଟି ତାଲିମ କାର୍ଯ୍ୟକ୍ରମକୁ ଶେଷ କରିବ । ଏଥିରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସୂଚନା ଦିଆଯିବ । ପ୍ରତିଷ୍ଠାନର ଅଧ୍ୟକ୍ଷ ବୈଜ୍ଞାନିକ ଡକ୍ଟର ବି.ସି. ମହାପାତ୍ର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO