କଟକ– କଟକରେ ପୁଣି ଆଉ ଏକ ନକଲି ଘିଅ କାରଖାନା ଠାବ କରିଛି କମିଶନରେଟ ପୋଲିସ । ଜଗତପୁର ନୂତନ ଶିଳ୍ପାଚଂଳରେ ମିଳିତ ଭାବେ ଚଢ଼ଉ କରି ଏହି ନକଲି ଘିଅ କାରଖାନାକୁ ଠାବ କରାଯାଇଛି । ଏଠାରୁ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଜବତ ହୋଇଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ଓଜନ ମାପ ନିରୀକ୍ଷକ ଏହି ଚଢ଼ଉରେ ସାମିଲ୍ ରହିଛନ୍ତି । ନକଲି ଘିଅ ପ୍ୟାକେଟ ଉପରେ ଅସଲି ବ୍ରାଣ୍ଡର ପ୍ୟାକେଜିଂ କରାଯାଇ ଏହାକୁ ଅପମିଶ୍ରଣ କରି ସୁବାଷ ବ୍ରାଣ୍ଡରେ ବିକ୍ରୀ ହେଉଥିଲା ଘିଅ ।
ପ୍ରକାଶ ଥାଉକି, କଟକ ୪୨ ମୌଜାର ଶ୍ରୀରାମ ମାର୍କେଟରେ ଏକ ନକଲି ଘିଅ କାରଖାନାକୁ ଗତକାଲି ଠାବ କରିଥିଲା କମିଶନରେଟ ପୋଲିସ । କୌଣସି ସୂତ୍ରରୁ ଏହି ବେଆଇନ କାରବାର ସମ୍ପର୍କରେ ଖବର ପାଇ ସଦର ପୋଲିସ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ ହୋଇଥିଲା ।
ଏହା ପୂର୍ବରୁ ନୂଆବଜାର ଅଂଚଳରେ ଅନ୍ୟ ଏକ ନକଲି ଘିଅ କାରଖାନାକୁ ଠାବ କରିଥିଲା କମିଶନରେଟ ପୋଲିସ । ଗତ ସେପ୍ଟେମ୍ବର ୨୬ ତାରିଖ ଠାରୁ ଆଜି ସୁଦ୍ଧା ମୋଟ୍ ୯ଟି ନକଲି ଖାଦ୍ୟ ସାମଗ୍ରୀ ତିଆରି କାରଖାନା ଠାବ କରିବା ସହ ସେଗୁଡିକୁ ସିଲ୍ କରିଛି କମିଶନରେଟ ପୋଲିସ ।