
ପୁରୀ– ଧର୍ମ ମାସ ପବିତ୍ର କାର୍ତିକ ମାସ ପଚୁଂକର ଅନ୍ତିମ ଦିବସ ପୂର୍ଣ୍ଣମୀ ତିଥିରେ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ପୁଷ୍ପାଳକ ସେବକମାନେ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉମାନଙ୍କୁ ରାଜାଧିରାଜ ବେଶରେ ଭୂଷିତ କରିଛନ୍ତି । ସକାଳଧୂପ, ଭୋଗମଣ୍ଡପ ଧୂପ ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ତେବେ ଚଳିତବର୍ଷ ଭକ୍ତ ଏହି ଦୁର୍ଲଭ ଦର୍ଶନରୁ ବଂଚିତ ରହିଛନ୍ତି ଭକ୍ତ । ଶ୍ରୀବିଗ୍ରହମାନଙ୍କୁ ଶ୍ରୀଭୂଜ, ଶ୍ରୀପୟର, କମ୍ବଦମାଳି, ବାହାଡମାଳି, କିରିଟ, ହରିଡା କଦମ୍ବମାଳି, ତାବିଜ ମାଳି, ବାଘନଖ ମାଳି, ସେବତୀ ମାଳି, ଓଡିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଶଙ୍ଖଚକ୍ର, ହଳମୂଷଳ, ଚିତା ତିଳକ, ତ୍ରିଶାଖା, ଚନ୍ଦ୍ରିକା, ରୂପାଶଙ୍ଖ, ଘାଘଡାମାଳ, ବିମୁଖ ପଦ୍ମ, ତଡଗି ଲାଗି ହୋଇଛି । ପାଳିଆ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି ।
ସୁରକ୍ଷା ଦାୟୀତ୍ୱରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୭ ଜଣ ଡ଼ିଏସପି, ଜଣେ ଅତିରିକ୍ତ ଏସପି ଏହାର ତଦାରଖ କରୁଛନ୍ତି । ଭକ୍ତଙ୍କ ପ୍ରବେଶ ରୋକିବାକୁ ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାରିକେଡ୍ କରାଯାଇଛି । ସେହିପରି ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ସାହି ଓ ଗଳି ରାସ୍ତାକୁ ବ୍ୟାରିକେଡ୍ କରି ବନ୍ଦ କରାଯାଇଛି । ଦୋଳମଣ୍ଡପ ସାହି ଛକ, ଏମାର ମଠ ପାଶ୍ୱର୍ ମାଟିମଣ୍ଡପ ସାହି ରାସ୍ତା, କାକୁଡ଼ି ଖାଇ ଛକ, ମଣିକର୍ଣ୍ଣିକା ସାହି, ଗାଣ୍ଡୁଆ ଚଉରା ନିକଟ ଲୋକନାଥ ରୋଡ଼, ଗଡ଼ନ୍ତି ଛକ, ପାଣିଟାଙ୍କି ଛକ, ଦୋଳବେଦୀ କୋଣ, ଶ୍ୟାମକୁଞ୍ଜ ଗଳି, ନଅର ଗଳି, ମର୍ଚ୍ଚିକୋଟ ଛକ, ଶ୍ରୀକୃଷ୍ଣ ଟକିଜ୍ ଛକ ଏସବୁ ସ୍ଥାନରେ ବ୍ୟାରିକେଡ଼୍ କରାଯାଇଛି । କୌଣସି ଯାନବାହନକୁ ପ୍ରବେଶ କରାଇ ଦିଆଯାଉନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ପଚୁଂକ ୫ ଦିନରେ ଶ୍ରୀବିଗ୍ରହ ମାନଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ ବର୍ଷ ପଚୁଂକ ୬ ଦିନ ପଡୁଥିବାରୁ ଏହି ସମସ୍ତ ବେଶ ସାଙ୍ଗକୁ ପଚୁଂକର ତୃତୀୟ ଦିବସରେ ଶ୍ରୀଜୀଉଙ୍କ ନାଗାୁର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ପଚୁଂକର ପ୍ରଥମ ଦିନ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ, ତୃତୀୟ ଦିବସରେ ନାଗାର୍ଜ୍ଜୁନ ବେଶ, ଚତୁର୍ଥ ଦିବସରେ ତ୍ରିବିକ୍ରମ ବେଶ ଏବଂ ପଚଂମ ଦିବସରେ ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO