କଟକ-ଧର୍ମ ପରିବର୍ତନ କରିବା ପରେ ଜନଜାତିର ଲୋକେ ପୂର୍ବଭଳି ସରକାରୀ ସୁବିଧା ପାଉଛନ୍ତି । ଏହି ନିୟମରେ କୌଣସି ପ୍ରକାର ସଂଶୋଧନ କରାଯାଉନି । ଫଳରେ ପ୍ରକୃତ ଜନଜାତିମାନେ ସମସ୍ୟାର ଶିକାର ହେଉଛନ୍ତି । ଏହିଭଳି ଅଭିଯୋଗ ଆଣି ଧର୍ମ ବଦଳାଉଥିବା ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିବାକୁ ଜନଜାତି ମଂଚ ଦାବି କରିଛି । ଧର୍ମ ପରିବର୍ତନ କରିଥିବା ଜନଜାତିଙ୍କୁ ତାଲିକାରୁ ବାଦ ଦେଇ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ମଂଚ କହିଛି । ମଙ୍ଗଳବାର ଦିନ ମଂଚ ପକ୍ଷରୁ କଟକ ଓ ଖୋର୍ଦ୍ଧା ଠାରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି ।
କଟକରେ ବିନୟ କୁମାର ଭୂୟାଁ , ମହିର ବାବୁ, ଜ୍ଞାନ ଚାନ୍ଦ ନାହାର, ବିଶ୍ୱାମିତ୍ର ମହାନ୍ତ ଓ ଜନଜାତି ନେତା ରାମଚନ୍ଦ୍ର ର୍ମୁମ୍ମୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ସେହିପରି ଖୋର୍ଦ୍ଧାରେ ସୁଷମ ଦେହୁରି, ବିଜୟ ମହାନ୍ତି, ସୌମ୍ୟ ରଂଜନ ସାହୁ, ବୁଧୁରାମ ସିଂ ପ୍ରମୁଖ ଉପସ୍ଥିତ ରହି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ମଂଚ କର୍ମକର୍ତା ଅଭିଯୋଗରେ କହିଛନ୍ତି, ଦୀର୍ଘ ୫୦ ବର୍ଷ ଧରି ଧର୍ମ ପରିବର୍ତନ କରିଥିବା ଜନଜାତିଙ୍କ ପାଇଁ ସଂରକ୍ଷଣ ନିୟମକୁ ସଂଶୋଧନ କରିବାକୁ ଦାବି ହୋଇ ଆସୁଛି । କିନ୍ତୁ କୌଣସି ସରକାର ଏହାକୁ ଗୁରୁତ୍ୱ ଦେଉ ନାହାଁନ୍ତି । ଧର୍ମ ପରିବର୍ତନ କରୁଥିବା ଲୋକେ ସଂରକ୍ଷଣର ଫାଇଦା ଉଠାଇ ତୁଳନାତ୍ମକ ଭାବେ ଖୁବ ଭଲ ସ୍ଥିତିରେ ଅଛନ୍ତି । ଏପରିକି ଦୀର୍ଘ ୭୩ ବର୍ଷ ଧରି ଧର୍ମ ପରିବର୍ତନ କରିଥିବା ଜନଜାତି ଲୋକେ ସଂରକ୍ଷଣ ବ୍ୟବସ୍ଥାରୁ ଫାଇଦା ଉଠାଇ ଚାଲିଛନ୍ତି । ଅନ୍ୟ ଜନଜାତିଙ୍କ ପ୍ରତି ଏହା ଅନ୍ୟାୟ । ଏପରିସ୍ଥଳେ ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ମଂଚ ଦାବି କରିଛି ।