ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ବାରାଣସୀର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 220 କୋଟି ଟଙ୍କା ମୂଲ୍ୟର 16ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସେ କହିଛନ୍ତି ଯେ ଏଥିସହିତ 400 କୋଟି ଟଙ୍କା ମୂଲ୍ୟର ଅନ୍ୟ 14ଟି ଯୋଜନାର କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ।
ଆଜି ଯେଉଁସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ସେଥିମଧ୍ୟରେ ରହିଛି ସାରନାଥର ଲାଇଟ ଓ ସାଉଣ୍ଡ ଶୋ ବ୍ୟବସ୍ଥା, ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲର ଉନ୍ନତୀକରଣ, ସହରରେ ଏକାଧିକ ସ୍ୱରେଜର ବିକାଶ କାର୍ଯ୍ୟ, ଗୋ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି, ବହୁମୁଖୀ ବିହନ ଭଣ୍ଡାର ଘର, 100 ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ କୃଷିଜାତ ସାମଗ୍ରୀ ୱେୟାର ହାଉସ, ଆଇପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ, ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମ ପରିସରରେ ଖେଳାଳିମାନଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ, ବାରାଣସୀ ସିଟି ସ୍ମାର୍ଟ ଲାଇଟିଂ ବ୍ୟବସ୍ଥା, 105ଟି ଅଙ୍ଗନବାଡି କେନ୍ଦ୍ର ଓ 102ଟି ଗୋରୁ ଆଶ୍ରୟ କେନ୍ଦ୍ର ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାରାଣସୀ ନଗରୀ ଏବଂ ଏହାର ଆଖପାଖ ଗ୍ରାମରେ ପର୍ଯ୍ୟଟନ ବିକାଶ ସାମଗ୍ରିକ ଉନ୍ନୟନ ଯୋଜନାର ଏକ ଅଂଶ । ଏହିସବୁ ଉନ୍ନୟନ ପ୍ରାଚୀନ ନଗରୀ ବାରାଣସୀର ସର୍ବାଙ୍ଗୀନ ବିକାଶରେ ଏକ ଉଦାହରଣ ପାଲଟିଛି । ଗଙ୍ଗା ସଫେଇ, ସ୍ୱାସ୍ଥ୍ୟସେବା ଯୋଗାଣ, ଉତ୍ତମମାନର ରାସ୍ତା ନିର୍ମାଣ, ବିଭିନ୍ନ ଭିତ୍ତିଭୂମି ସୃଷ୍ଟି, ପର୍ଯ୍ୟଟନ, ବିଦ୍ୟୁତ, ଯୁବ ବିକାଶ, କ୍ରୀଡା, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବାରାଣସୀ ନଗରୀ ଦ୍ରୁତଗତିରେ ପ୍ରଗତିପଥରେ ଅଗ୍ରସର । ସେ କହିଛନ୍ତି ଯେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପୁନରୁଦ୍ଧାର ସହିତ ନଗରୀର ଗଙ୍ଗା ସଫେଇ ପ୍ରକଳ୍ପ ଆଜି ଶେଷ ହୋଇଛି । ନଗରୀର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାରାଣସୀର ଘାଟଗୁଡିକୁ ଏବେ ସୁସଜ୍ଜିତ କରାଯାଇଛି । ପ୍ରଦୂଷଣ ରୋକିବାକୁ ସିଏନ୍ଜି ବ୍ୟବସ୍ଥା କରାଯାଇଥିବାବେଳେ ଦଶାଶ୍ୱମେଧ ଘାଟରେ ଏକ ଟୁରିଷ୍ଟ ପ୍ଲାଜା ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଙ୍ଗାର ପରିଚ୍ଛନ୍ନତା ରକ୍ଷା ପାଇଁ ନଗରୀରେ ଯେଉଁସବୁ କାର୍ଯ୍ୟ କରାଯାଇଛି କାଶୀରେ ମଧ୍ୟ ତାହା କାର୍ଯ୍ୟକାରୀ ହେବ । କାରଣ ଏହା ଉଭୟ କାଶୀ ଓ ବାରାଣସୀର ମିଳିତ ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ । କ୍ରମଶଃ ଗଙ୍ଗାର ବିଭିନ୍ନ ଘାଟର ଉନ୍ନତି ହେଉଛି । ଗଙ୍ଗା ଘାଟର ପରିଚ୍ଛନ୍ନତା ଏବଂ ସୌନ୍ଦର୍ଯ୍ୟକରଣ ସହିତ ସାରନାଥ ମଧ୍ୟ ଏକ ନୂଆ ରୂପ ଧାରଣ କରିଛି । ସେଠି ଉଦ୍ଘାଟିତ ହୋଇଥିବା ଲାଇଟ ଏଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ସାରନାଥର ଔଜଲ୍ୟ ବଢାଇବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶୀ ନଗରୀର ସମସ୍ୟାଗୁଡିକୁ କ୍ରମଶଃ ସମାଧାନ କରାଯାଉଛି । ସେଠାରେ ତଳକୁ ନଇଁ ପଡିଥିବା ବିଜୁଳି ତାରଗୁଡିକୁ ହଟାଇ ଦିଆଯାଇଛି । ନୂଆକରି ଭୂମିତଳେ କେବୁଲ ମାଧ୍ୟମରେ ଲୋକଙ୍କୁ ବିଜୁଳି ଯୋଗାଇ ଦିଆଯାଉଛି । ଆଜି ଏହି କାର୍ଯ୍ୟର ଗୋଟିଏ ପର୍ଯ୍ୟାୟ ଶେଷ ହୋଇଛି । ଏହା ସହିତ କାଶୀର ରାସ୍ତାଘାଟ ଏବେ ଏଲ୍ଇଡି ଲାଇଟରେ ଝଲସିବ ଏବଂ ଏହାର ସୌନ୍ଦର୍ଯ୍ୟ ବଢାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବାରାଣସୀର ସଂଯୋଗ ବ୍ୟବସ୍ଥାକୁ ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ସେଥିପାଇଁ ନୂଆ ଭିତ୍ତିଭୂମିମାନ ତିଆରି କରାଯାଉଛି । ଏହା ଫଳରେ କାଶୀର ଜନସାଧାରଣ ଏବଂ ପର୍ଯ୍ୟଟକ ଆଉ ଟ୍ରାଫିକ ଜାମରେ ହଇରାଣ ହେବେ ନାହିଁ କିମ୍ବା ସେମାନଙ୍କର ସମୟ ଅପଚୟ ହେବନାହିଁ । ବାବତ୍ପୁରରୁ ନଗରୀକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ ଓ ବିକାଶ ପରେ ବାରାଣସୀ ଏକ ନୂଆ ପରିଚୟ ପାଇଛି । ସେହିଭଳି ବାରାଣସୀ ବିମାନ ବନ୍ଦରରେ ଦୁଇଟି ପାସେଞ୍ଜର ବୋର୍ଡିଂ ବ୍ରିଜର ଆବଶ୍ୟକତା 6 ବର୍ଷ ତଳୁ ଅନୁଭୂତ ହେଉଥିଲା । କାରଣ ଏହି ବିମାନ ବନ୍ଦରକୁ ଦୈନିକ ସେତେବେଳେ 12ଟି ବିମାନ ଆସୁଥିବାବେଳେ ଏବେ 48ଟି ବିମାନ ଆତଯାତ କରୁଛି । ତେଣୁ ସେଠାରେ ଅଧିକ ଯାତ୍ରୀ ସୁବିଧାର ଆବଶ୍ୟକତା ରହିଛି । ବାରାଣସୀରେ ଯେଉଁ ଆଧୁନିକ ଭିତ୍ତିଭୂମିମାନ ତିଆରି ହେଉଛି, ତଦ୍ଦ୍ୱାରା ସ୍ଥାନୀୟ ଲୋକଙ୍କର ସୁବିଧା ହେବା ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ଜୀବନଯାତ୍ରା ସୁଗମ ହେବ । ସମଗ୍ର ବାରାଣସୀ ନଗରୀରେ କାର୍ଯ୍ୟକାରୀ ହେଉଥିବା ରାସ୍ତା ଭିତ୍ତିଭୂମିର ଏକ ବିବରଣୀ ଏହି ଅବସରରେ ସେ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 6 ବର୍ଷ ଧରି ବାରାଣସୀର ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି । ଏବେ ବାରାଣସୀ କେବଳ ଉତ୍ତର ପ୍ରଦେଶ ନୁହେଁ, ବରଂ ସମଗ୍ର ପୂର୍ବାଞ୍ଚଳ ପାଇଁ ଏକ ସ୍ୱାସ୍ଥ୍ୟ ହବ୍ରେ ପରିଣତ ହେବାକୁ ଯାଉଛି । ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲର ଆଧୁନିକୀକରଣ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟର ହିସାବ ସେ ଦେଇଥିଲେ ।