ଭୁବନେଶ୍ୱର– କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ସୋମବାର କ୍ଷେତି ବଂଚାଅ ଯାତ୍ରା ଆରମ୍ଭ ହୋଇଛି । ପୂର୍ବାହ୍ନରେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଟ୍ରାକ୍ଟରରେ ରାଲି ବାହାରି କଟକ ଅଭିମୁଖେ ଯାଇଛି । ଏହି ଯାତ୍ରା ପ୍ରତାପନଗରୀ ଓ ୪୨ ମଉଜା ଦେଇ କଟକ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଛି । ଏଥିରେ କଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ସୁରେଶ ରାଉତରାୟ , ତାରା ବାହିନୀ ପତି , ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇ କୃଷି ନୀତିକୁ ସମାଲୋଚନା କରିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଞ୍ଜାବ ଓ ହରିୟାଣାରେ ଆରମ୍ଭ କରିଥିବା ‘କ୍ଷେତି ବଂଚାଅ ଯାତ୍ରା’କୁ ସମର୍ଥନ କରି ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡ଼ିଛି ।