ନୂଆଦିଲ୍ଲୀ, ଲଦ୍ଦାଖରେ ଉତ୍ତେଜନା ଜାରି ଥିବା ବେଳେ ଭାରତୀୟ ସେନା ଶୁକ୍ରବାର ହେବାକୁ ଥିବା କୋର କମାଣ୍ଡସ୍ତରୀୟ ୮ମ ଆଲୋଚନାରେ ଯୋଗଦେବ । ଏହି ଆଲୋଚନାରେ ଭାରତ ଚୀନ ସୈନିକ ପୂର୍ଣ୍ଣ ଭାବେ ଫେରିଯିବାକୁ ଯୋର ଦେଇପାରେ । ବୈଠକ ଶୁକ୍ରବାର ସକାଳ ସାଢ଼େ ୯ଟାରୁ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ଭାରତୀୟ ଅଂଚଳ ଚୁଶୁଲରେ ଅନୁଷ୍ଠିତ ହେବ ।
ପୂର୍ବ ଲଦ୍ଦାଖରେ ଭୀଷଣ ଶୀତ ସମୟରେ ଏବେ ପାଖାପାଖି ୫୦ ହଜାର ସୈନିକ ମୁତୟନ ଅଛନ୍ତି । ତେଣୁ କୌଣସି ସ୍ଥିତିରେ ଏହି ଉତ୍ତେଜନା ହ୍ରାସ କରିବାକୁ ବୈଠକରେ ଆଲୋଚନା ହେବ । ଦୀର୍ଘ ୬ ମାସ ହେବ ଏଠାରେ ଉତ୍ତେଜନା ଜାରି ଥିବା ଉଭୟ ଦେଶ ମଧ୍ୟରେ ବିଗତ ଦିନରେ ୭ଟି ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି । ଚୀନ ମଧ୍ୟ ପାଖାପାଖି ୫୦ ହଜାର ସୈନିକ ମୁତୟନ କରିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ଉଭୟ ଦେଶ ମଧ୍ୟରେ ବୈଠକ ହୋଇଥିଲା । ନୂତନ ଯୁଗର ଭାରତ ଚୀନର ଆଖିରେ ଆଖି ମିଶାଇ ଭଲ ଭାବରେ ବୁଝାଇ ଦେଇଛି ଯେ, ବିସ୍ତାରବାଦ ସହିତ ଜଡ଼ିତ ତାର କୌଣସି ଷଡ଼ଯନ୍ତ୍ର କାମ କରିବ ନାହିଁ । ଭାରତର ଏକ ଇଞ୍ଚ ଜମି ଜବରଦଖଲ କରିବା ପୂର୍ବରୁ ଚୀନକୁ ଅନେକ ଥର ଚିନ୍ତା କରିବାକୁ ପଡ଼ିବ । ସୀମା ବିବାଦ ଶେଷ କରିବା ଲାଗି ପାୱାର ଚାଇନା ଷ୍ଟଡି ଗ୍ରୁପ ଗଠନ କରାଯାଇଛି । ନୂଆଦିଲ୍ଲୀ ତରଫରୁ ବେଜିଂ ଉପରେ କ୍ରମାଗତ ଭାବେ ଚାପ ପ୍ରୟୋଗ କରାଯାଉଛି । ଯେକୌଣସି ସ୍ଥତିରେ ଚୀନକୁ ଲଦ୍ଦାଖ ଏବଂ ପୂରା ଅଂଚଳରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଅଣାଯିବାକୁ ଉଦ୍ୟମ ହୋଇଛି ।