-
ଅର୍ଥ ମନ୍ତ୍ରଣାଳୟ ଏ ଯାବତ୍ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛି

ନୂଆଦିଲ୍ଲୀ-ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ରାଜ୍ୟମାନଙ୍କର ଜିଏସ୍ଟି ସଂଗ୍ରହ ଜନିତ କ୍ଷତିପୂରଣ ଭରଣା କରିବା ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଅର୍ଥ ରାଶି ଋଣ ଆକାରରେ 4.42 ଶତାଂଶ ସୁଧରେ ଋଣ କରି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି । ସମାନ ସୁଧ ହାରରେ ଏହି ଅର୍ଥ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯିବ । ଏହି ସୁଧହାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୁଥିବା ଋଣର ସୁଧ ହାରଠାରୁ କମ୍ । ଏହି କମ୍ ସୁଧ ଯୋଗୁଁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପକୃତ ହେବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସ୍ପେଶାଲ ବରୋଇଂ ୱିଣ୍ଡୋ ଏକ ବ୍ୟବସ୍ଥା ଯେଉଁଠି ରାଜ୍ୟମାନଙ୍କର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ସ୍ୱଳ୍ପ ସୁଧରେ ଋଣ ସଂଗ୍ରହ କରି ସଂପୃକ୍ତ ପ୍ରଦେଶମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଯୋଗାଇଥାନ୍ତି ।
କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍ଟି ସଂଗ୍ରହ ପରିମାଣ ବିଶେଷ ପ୍ରଭାବିତ ହୋଇଛି । ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ଯୋଗାଇବାକୁ ପଡିବ । ସେହି ଆବଶ୍ୟକତା ପୂରଣ ପାଇଁ ଋଣ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଥିଲା । ଏ ଯାବତ୍ ଦେଶର 21ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳ ସ୍ପେଶାଲ ୱିଣ୍ଡୋ ଅପ୍ସନ-1 ଅନୁସାରେ ଋଣ କରିବାକୁ କେନ୍ଦ୍ରକୁ ସମ୍ମତି ପ୍ରଦାନ କରିଥିଲେ । ତଦନୁସାରେ ଭାରତ ସରକାର ଏହି ଋଣ ବନ୍ଦୋବସ୍ତ କରି ସଂପୃକ୍ତ ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କ୍ରମାଗତ ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟମାନଙ୍କର ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ଭରଣା କରିବା ପାଇଁ ଏହା ପ୍ରଦାନ କରାଯାଉଛି । ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଋଣ ପ୍ରଦାନ କରାଯାଇଛି ସେଗୁଡିକ ହେଲା- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ ଓ କଶ୍ମୀର ଏବଂ ପୁଡୁଚେରୀ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO