ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡା ଥାନା ଭୋଗିବନ୍ଧ ଗ୍ରାମର ୩ ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ । ସେମାନଙ୍କ ମା’ ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ ଏହି ୩ ଶିଶୁ ଅନାଥ ହୋଇଯିବା ସହ ବେସାହାରା ହୋଇଯାଇଥିଲେ । ଜନଜାତିବର୍ଗର ଏହି ୩ଭାଇ ଭଉଣୀ ଦେବକୀ, ବର୍ଷାରାଣୀ ଓ କ୍ଷୀରୋଦଙ୍କ ଦୁଃଖଭରା କାହାଣୀ ଗଣମାଧ୍ୟମରେ ପ୍ରସାରଣ ହେବାପରେ କିସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା । ନିଜ କର୍ମଚାରୀଙ୍କ ଜରିଆରେ ଶ୍ରୀ ସାମନ୍ତ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ବୁଝିଥିଲେ । ସେମାନଙ୍କ ଉପରେ ୩ ଭଉଣୀ ଥିଲେ ମଧ୍ୟ ସେମାନେ ଆନ୍ଧ୍ରରେ ବିବାହ କରି ସେଠାରେ ରହୁଛନ୍ତି । ଏମାନେ ଏବେ ନା ନା ଅସୁବିଧାର ସମ୍ମୁଖିନ ହେଉଥିବା ଶ୍ରୀ ସାମନ୍ତ ଜାଣିବାକୁ ପାଇଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧକ୍ରମେ କିସ୍ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ସେମାନଙ୍କ ଚାଲିବା ପାଇଁ ମାସିକ ୩ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହାସହ ଏହି ୩ ପିଲାଙ୍କ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି କିସ୍ ଫାଉଣ୍ଡେସନ ଗୁରୁତ୍ୱ ପ୍ରଦାନ କରିଛି । ସେମାନେ କିସ୍ରେ ପାଠ ପଢ଼ିବେ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି । କରୋନା ଶେଷ ହେବାପରେ କିସ୍ ଖୋଲିଲେ କିସ୍ରେ ସରକାରୀ ନିୟମ ଅନୁସାରେ ସେମାନଙ୍କ ନାମ ଲେଖାଯିବ । ସେମାନଙ୍କ ଏହି ଦୁଃଖ ସମୟରେ ସହାୟତା ଯୋଗାଇ ଦେଇଥିବାରୁ କିସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ୩ ଭାଇ ଭଉଣୀ କୃତଜ୍ଞତା ଜଣାଇଛନ୍ତି ।