କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ-ମାରୁତି ସେନା ଚାରିଟେବଲ ଟ୍ରଷ୍ଟ ପୁରୀ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି |ଏହି ଦାବୀରେ ଉଲ୍ଲେଖ କରାଯାଇଛି ଯେ ଆଦିତ୍ୟ କୁମାର ଦାସ ଜଣେ ଉଚ୍ଚକୋଟିର ସମାଜସେବୀ ଓ ମାନବ ପ୍ରେମୀ ଥିଲେ |ସେ ସବୁ ମଣିଷଙ୍କୁ ଭଲପାଇବା ସହିତ ସମସ୍ତଙ୍କୁ କିଭଳି ନିଜ ନିଜର ଜୀବନରେ ଲାଗିରହିଥିବା ସମସ୍ୟାରୁ ଓହରି ନ ଯାଇ ଏହି ସମସ୍ୟାକୁ ସାମ୍ନା କରି ଏହାକୁ ସମାଧାନ ପାଇଁ ମାର୍ଗ ଦର୍ଶନ କରୁଥିଲେ |ସେ ନିଜକୁ ମାନବ ସେବାରେ ସମର୍ପଣ କରିଦେଇଥିଲେ |ସେ କଦାପି ଆତ୍ମହତ୍ୟା କରିନଥିବେ କାରଣ ଯେ ସମସ୍ତଙ୍କୁ ଲଢ଼ିବାକୁ ଶିଖାଉଥିବାବେଳେ କେମିତି ଆତ୍ମହତ୍ୟା କରିବେ ଏହା ବିଶ୍ୱାସଯୋଗ୍ୟ ନୁହେଁ |ତାଙ୍କର ପପୁଲାରୀଟି କୁ ସହ୍ୟ କରିନପାରି କେହି ତାଙ୍କୁ ହତ୍ୟା କରିଛନ୍ତି |
ସାରାବିଶ୍ୱ କରୋନା ମହାମାରୀ ସଂକଟରେ ଥିବାବେଳେ ଆଦିତ୍ୟ କରୋନା ଯୋଦ୍ଧାଭାବେ ଆଗକୁ ଆସି ସଂକଟରେ ଓ ଭୋକ ଉପାସ ରେ ଥିବା ଅସହାୟ ଲୋକଙ୍କୁ ଆହାର ଯୋଗାଇବା ସହିତ ସେମାନଙ୍କୁ ଆର୍ଥିକ ଏବଂ ମାନସିକ ଭାବେ ସାହାର୍ଯ୍ୟ କରିଥିଲେ |ତାଙ୍କର ଏଭଳି ପରୋପକାରୀ କାର୍ଯ୍ୟକଳାପ ପାଇଁ ସେ ଚିରସ୍ମରଣୀୟ ହୋଇରହିବେ|
ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ମାନବ ପ୍ରେମୀ ଆଦିତ୍ୟ କୁମାର ଦାସଙ୍କ ମୃତ୍ୟୁ ପଛରେ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବୀରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ କରାଯାଇଥିଲା | ମାରୁତି ସେନା ଚାରିଟେବଲ ଟ୍ରଷ୍ଟ ପୁରୀର ସଦସ୍ୟ ସତ୍ୟନାରାୟଣ ଦଳବେହେରା, ବବିତା ମହାରଣା, ଆକାଶ ବାରିକ, ଜଗତ ବନ୍ଧୁ ପଣ୍ଡା, ଇତିଶ୍ରୀ ସରିତା ମହାନ୍ତି ପ୍ରମୁଖ ଏହି ବିକ୍ଷୋଭରେ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ |