ରାଉରକେଲା– କରୋନା ସମୟରେ ପ୍ରତି ରାସନ କାର୍ଡ ଧାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବା ଲାଗି କେନ୍ଦ୍ର ସରକାର ସୁନ୍ଦରଗଡ ଜିଲ୍ଲାକୁ ଅର୍ଥ ଯୋଗାଇ ଦେବା ପରେ, ରାଉରକେଲା ମହାନଗର ସମେତ ୩ଟି ମୁନିସପାଲିଟି ଓ ୧୭ଟି ବ୍ଲକରେ ବହୁ କାର୍ଡଧାରୀ ଏହି ଅର୍ଥ ନେଇନଥିବା ଘଟଣା ସଂପର୍କରେ ଆରଟିଆଇ ମାଧ୍ୟମରେ ସମସ୍ତ ସୂଚନା ଆଣି ଏହାର ଯାଂଚ୍ ଲାଗି କଂଗ୍ରେସ ଦଳର ପୂର୍ବତନ ରାଜ୍ୟ ସଂପାଦକ ରଶ୍ମିରଂଜନ ପାଢୀ ଦାବି କରିଥିଲେ , ଏହା ପରେ ରାଜ୍ୟର ବିଭିନ୍ନ ଖବର କାଗଜରେ ଏହି ଖବର ବାରମ୍ବାର ପ୍ରକାଶ ପାଇବା ସହ ଆସିଥିବା ଅର୍ଥ ମଧ୍ୟ ଫେରିଗଲା । ଫଳରେ କେନ୍ଦ୍ର ସରକାରୀ ସହାୟତା ଏକ ପ୍ରକାର ସବୁ କଥା ଧରାଇଦେଲା ବୋଲି ଆଲୋଚନା ଚାଲିଛି । ବର୍ତମାନ ଜିଲ୍ଲା ସାରା ଏହି ସହାୟତା ନେଇ ନଥିବା ଲୋକ ମାନଙ୍କ ସଂପର୍କରେ ଯାଂଚ କରି ୭ ଦିନ ଭିତରେ ରିପୋର୍ଟ ଦାଖଲ କରିବା ଲାଗି ଜିଲ୍ଲାପାଳ ସୁନ୍ଦରଗଡ ନିଖିଲ ପବନ କଲ୍ୟାଣ ତାଙ୍କ ଚିଠି ନମ୍ବର,୧୬୯୧ ତା ୯-୯-୨୦ ଅନୁଯାଇ ଜିଲ୍ଲାର ୩ଟି ମୁନିସପାଲିଟି ଓ ସମସ୍ତ ବିଡିଓଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ଏହି କଥା ପ୍ରଥମେ ରାଉରକେଲା ମହାନଗର ଅଂଚଳରେ ଜଣାପଡିଥିଲା । ଏଠାରେ ୧୯୩୨ ଜଣ ହିତାଧିକାରୀ ଏହି ୧୦୦୦ ଟଙ୍କା ସହାୟତା ନେଇ ନଥିଲେ । ୨୦୧୬-୧୭ ମସିହାରୁ ଯେଉଁମାନେ ପ୍ରତିମାସ ଚାଉଳ, ଗହମ ଓ କିରାସିନ ନେଉଥିଲେ ସେମାନେ ତାଙ୍କ ପରିଚୟ ଦେଇ ଏହି ଟଙ୍କା କାହିଁକି ନେଲେ ନାହିଁ ବୋଲି ସବୁଆଡେ ଆଲୋଚନା ହେଲା । ପରେ ଏହି କଥା ଜିଲ୍ଲା ବ୍ୟାପି କଥା ଉଠିବା ପରେ ଯାଂଚ୍ ଲାଗି ଆଦେଶ ହେଲା । ଜିଲ୍ଲାପାଳଙ୍କ ଚିଠି ଅନୁଶାରେ, ରାଉରକେଲାକୁ ଛାଡିଦେଲେ ଜିଲ୍ଲାର ୩ ମୁନିସପାଲିଟି ଓ ବ୍ଲକରେ ୫୦୯୬ ହିତାଧିକାରୀ ଏହି ୧୦୦୦ ଟଙ୍କା ସହାୟତା ନେଇ ନାହାଁନ୍ତି । ଯଦି ରାଉରକେଲାକୁ ମିଶାଇ ଦିଆଯାଏ ତେବେ ମୋଟ୍ ଜିଲ୍ଲାରେ ୭୦୨୮ ଜଣ ରାସନ କାର୍ଡ ଧାରୀ ଏହି ସହାୟତା ନେଇ ନାହାନ୍ତି । ତେବେ ବର୍ତମାନ ପ୍ରଶ୍ନ ଉଠୁଛି ଏମାନେ କିଏ? ଶ୍ରୀ ପାଢି ଏହି ହିସାବକୁ ନେଇ କହିଛନ୍ତି ଯେ, ସେ ଏହାର ସଂଖ୍ୟା ୮ରୁ ୧୦ ହଜାର ବୋଲି ଆକଳନ କରିଥିଲେ, ବର୍ତମାନ ସରକାରୀ ସୂଚନା ପାଖା ପାଖି ସେଇଆ, ତେଣୁ ଜିଲ୍ଲା ପ୍ରଶାସନର ଯାଂଚ୍ ସମେତ ରାଜ୍ୟ ଭିଜିଲାନ୍ସ ଡିଜି ଏନେଇ ଯାଂଚ୍ କରି ରାଜ୍ୟରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରମାଣ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ, ବିରମିତ୍ରପୁର ପୌରାଚଂଳରେ ୫୬ ଜଣ, ରାଜଗାଙ୍ଗପୁରରେ ୯୦ ଜଣ, ସୁନ୍ଦରଗଡ ପୌରାଚଂଳରେ ୨୪୯ ଜଣ, ବାଲିଶଙ୍କରାରେ ୧୨୫, ବଡଗାଁରେ ୫୫ ଜଣ, ବିଶ୍ରାରେ ୭୪ ଜଣ, ବଣାଇରେ୧୬୮ ଜଣ, ଗୁରୁଣ୍ଡିଆରେ ୨୨୫, ହେମଗିରିରେ ୩୧୧, କୋଇଡାରେ ୫୯୩, କୁଆଁରମୁଣ୍ଡାରେ ୧୩୬ ଜଣ, କୁତ୍ରାରେ୧୦୯, ଲହୁଣିପଡାରେ ୭୫୦ ଜଣ, ଲାଠିକଟାରେ ୫୪୭ ଜଣ, ଲେଫ୍ରିପଡାରେ ୪୪୪ ଜଣ, ନୂଆଗାଁରେ ୩୨୫ ଜଣ, ରାଜଗାଙ୍ଗପୁର ବ୍ଲକରେ ୧୦୨ ଜଣ, ସବଡେଗାରେ ୫୨ ଜଣ, ସୁନ୍ଦରଗଡରେ ୩୭୯ ଜଣ ଓ ଟାଙ୍ଗରପାଲିରେ ୩୦୬ ଜଣ ଏହି କରୋନା ସହାୟତା ନେଇ ନାହାନ୍ତି । ତେବେ ରାଉରକେଲା ଓ ଜିଲ୍ଲାରେ ମୋଟ ଯେଉଁମାନେ ଏହି ସହାୟତା ନେଲେ ନାହିଁ ଓ ପଇସା ଫେରିଗଲା ସେମାନେ ଆଜିଯାଏ ଲକ୍ଷ ଲକ୍ଷ ଟନ ଗହମ, ଚାଉଳ ଓ କିରାସିନ ଉଠାଇ ନେଇସାରିଛନ୍ତି । ତେବେ ସେମାନେ କିଏ ସେମାନଙ୍କ ଠିକଣା କଣ, ସେମାନେ କେଉଁ ଡିଲର ଦ୍ୱାରା ଏସବୁ ସହାୟତା ନେଉଥିଲେ, ତାହାର ସତ୍ୟା ସତ୍ୟ ପଦାକୁ ଆସିଲେ ସବୁ ଲୁଟ୍ ପାଟର ମୂଳ ଲୋକ କିଏ ତାହା ପଦାକୁ ଆସିପାରିବ । କିନ୍ତୁ, ରାଉରକେଲାରେ ଯାଂଚ୍ ନେଇ ଜିଲ୍ଲାପାଳ ଉପଜିଲ୍ଲାପାଲଙ୍କୁ ଦାୟିତ୍ୱ ଦେବା ପରେ ଏସବୁ ଯାଂଚ୍ ଯୋଗାଣ ବିଭାଗ ଅଧିକାରୀ ଓ କେତେକ ଯୋଗାଣ ନିରୀକ୍ଷକ କରୁଥିବା ଖବର ମିଳିଛି । ଏମାନଙ୍କ ସହ ଜଣେ ଅଧିକାରୀ ରହିଛନ୍ତି ଯିଏକି ଅତିତରେ ବିଭିନ୍ନ ଅଫିସରେ କିରାଣୀ ଦାୟିତ୍ୱରେ ଥିଲେ, ନିକଟରେ ଆଇଆରଏସ ପାଇ ଉଚ୍ଚ ପଦକୁ ଯାଇଛନ୍ତି । ଏମାନେ ବିଭିନ୍ନ ଯାଗାକୁ ଯାଉଛନ୍ତି ସବୁ ଡିଲରଙ୍କୁ ଡାକି ଗୋଟାଏ ଟେବୁଲରେ ମିଠା ଜଳଖିଆ ଖାଇ ସାରି କଣ ରିପୋର୍ଟ ଆଣୁଛନ୍ତି ତାହା ସମୟ କହିବ ବୋଲି କୁହାଯାଉଛି । ନିକଟରେ ଏହି ଯାଂଚକାରୀ ଦଳ କେତେକ ଡିଲରଙ୍କ ପାଖରେ ୯ରୁ ୧୦ଟି ଏହିଭଳି କାର୍ଡ ଥିବା ଜାଣି ପଚରା ଉଚରା କରିବା ପରେ ସେମାନେ କହିଛନ୍ତି ଏସବୁ ସେମାନଙ୍କୁ ଅଫିସରୁ ମିଳିଛି । ଯଦି ଏହା ସତ୍ୟ ତେବେ ଯୋଗାଣ ବିଭାଗ ଅଧିକାରୀ ଓ ନୀରିକ୍ଷକ ଏହି ଘୋଟାଲାକୁ କିଭଳି ଯାଂଚ କରିବେ ତାହା ଅନୁମାନ କରାଯାଇପାରେ ।