![](https://indokalingtimes.com/wp-content/uploads/2020/09/9643499b7e703694400e3f041a41f8864f00317d2b3760ab290fa71df3139299_1-300x200.jpg)
ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ଗ୍ରାମରେ ସରକାରଙ୍କ ଅନୁଦାନରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଓଭରହେଡ୍ ପାଣି ଟାଙ୍କି ଓ ଯୋଗାଣ ହୋଇଥିଲା । ହେଲେ ସେହି ଯୋଗାଣ ଆଜକୁ ୩ମାସରୁ ଉର୍ଦ୍ଧ୍ବ ହେବ ଟ୍ରାନ୍ସଫର୍ମର ପୋଡିଯିବା କାରଣରୁ ଅଚଳ ହୋଇପଡିଛି, ଯାହାକୁ ନେଇ ପାଣି ଟୋପାଏ ପାଇଁ ଶହଶହ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣିର ସମସ୍ୟା ନେଇ ଗ୍ରାମର ଲୋକମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖରେ ବାରମ୍ବାର ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟଅନୁଷ୍ଠାନ ଶୂନ । ପାଣିର ଘୋର ଅସୁବିଧା ନେଇ ଗ୍ରାମର ଶତାଧିକ ଲୋକ ଉତ୍ୟକ୍ତ ହୋଇ ଗ୍ରାମର ପମ୍ପ ହାଉସରେ ତାଲା ପକାଇବା ସହ ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିଲେ । ସରପଞ୍ଚ କହିବା ଅନୁସାରେ ସେ ଏହାର ସମାଧାନ ପାଇଁ ବାରମ୍ବାର ବିଡିଓଙ୍କ ଠାରୁ ଆରମ୍ଭ କରି ଦାୟିତ୍ଵରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ । ତେଣୁ ଲୋକମାନଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଗ୍ରାମବାସୀଙ୍କ ସହ ବ୍ଲକ ସମ୍ମୁଖରେ ଧାରଣା ଦେବ ବୋଲି ସେ କହିଛନ୍ତି । ସରକାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ କୋଟି କୋଟି ଟଙ୍କାର ରାଜସ୍ବରେ ଗ୍ରାମରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଇ ଜଳ ଯୋଗାଣ କରାଇଛନ୍ତି । ହେଲେ କେତେକ ଖାମଖିଆଲି ମନୋଭାବ ରଖୁଥିବା ଅଧିକାରୀଙ୍କ ପାଇଁ ସେହି ଯୋଜନାରୁ ହଜାର ହଜାର ଲୋକ ମାସମାସ ଧରି ବଞ୍ଚିତ ହୋଇ ରହୁଛନ୍ତି । ଏହି କୋଟିକୋଟି ଟଙ୍କା ଖର୍ଚ୍ଚରେ ଓଭରହେଡ୍ ପାଣି ଟାଙ୍କି ଓ ଯୋଗାଣ ହୋଇଥିବା ଗ୍ରାମ ଗୁଡିକରେ ପୂର୍ବରୁ ଥିବା ନଳକୂପ ଗୁଡିକ ଉପରେ ପ୍ରଶାସନର ଦୃଷ୍ଟି ପଡୁନାହିଁ ।![](https://indokalingtimes.com/wp-content/uploads/2020/09/9b1e3da41901df2cf9fcdda19a97381624d40f0b4ee6a8c548b01dd8d464cc51_3-300x200.jpg)
ଯାହା ଫଳରେ ସେହି ଅଞ୍ଚଳ ଗୁଡିକରେ କେତେକ ନଳକୂପରେ ପାଣି ବାହାରୁନଥିବା ବେଳେ ଅନେକରେ କାଦୁଅ ବା ନାଲିପାଣି ବାହାରୁଛି । ତେଣୁ ଲୋକମାନେ ସ୍ବଚ୍ଛ ପାନୀୟ ଜଳ ବଦଳରେ ଚୂଆ ପାଣିକୁ ଭରସା କରି ନିଜର ଆବଶ୍ୟକକୁ ପୂରଣ କରୁଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଯୋଗାଣରେ ରହିଥିବା ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀଙ୍କ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବା ସହ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।