କୋରେଇ – ଯାଜପୁର ଜିଲ୍ଲା କୋରାଇ ସ୍ଥିତ କାହ୍ନୁଚରଣ ଡିଗ୍ରୀ ମହାବିଦ୍ୟାଳୟରେ ସୋମବାର ମଧ୍ୟାହ୍ନରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସହାୟତା ଓ ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଜିକୁତାଜ ହେଲଥକେୟାର ଲିମିଟେଡ ପକ୍ଷରୁ ମହାବିଦ୍ୟାଳୟର ଏନଏସଏ ସହାୟତାରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମୋହନ ଚରଣ ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହେଲଥକେୟାର ମ୍ୟାନେଜର ଏସକେ ହବିବୁର ରେହେମନ, ହଜାରୀ ଗୋଲମ ରେହେମାନ ଓ ଫାର୍ମାସିିଷ୍ଟ ଗଗନବିହାରୀ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଆଲୋଚ୍ୟ ବିଷୟବସ୍ତୁ ମଧ୍ୟରେ ଆଶୁ ଚିକିତ୍ସା, ଦୁର୍ଘଟଣାଜନିତ ସଚେତନତା, ସାପକାମୁଡା ଓ ତାହାକୁ କିପରି ପ୍ରାଥମିକ ଚିକିତ୍ସା କରାଯିବ ଏବଂ ହୃଦରୋଗଜନିତ ଦୁର୍ଘଟଣାର ମୁକାବିଲା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏଥି ସହିତ ୧୦୮ ଓ ୧୦୨ ଆମ୍ବୁଲାନ୍ସର କାହିଁକି ଓ କିପରି ସୁବିନିଯୋଗ କରାଯିବା ଉଚିତ ବୋଲି ତାହା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସନ୍ୟାସୀ ବାରିକ, ଶିଶର କୁମାର ନାୟକ, ବିବେକାନନ୍ଦ ଦାଶ, ଅଧ୍ୟାପିକା ସରିତା ପୃଷ୍ଟି, ରୋଜି ମଲ୍ଲିକ, ନବଘନ ରଣା, ବନିତା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ପରିଚାଳନାରେ ଏନଏସଏସର ଛାତ୍ରଛାତ୍ରୀ ସହଯୋଗ କରିଥିଲା ବେଳେ ଏନଏସଏସ ସଂଯୋଜକ ଅଧ୍ୟାପକ ବିବେକାନନ୍ଦ ଦାଶ ମହାବିଦ୍ୟାଳୟ ତରଫରୁ ସଚେତନତା ନିମନ୍ତେ ଆସିଥିବା ଅନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।