ବ୍ରହ୍ମପୁର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବା ବେଳେ କୋଭିଡ ମୁକାବିଲା ନେଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ସକାଶେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ଏବଂ କରୋନା ସଂକ୍ରମିତ ବ୍ୟକ୍ତିଗଣ ଅଧିକ ସଂଖ୍ୟାରେ ସୁସ୍ଥ ହୋଇ ପାରିଛନ୍ତି । ତେବେ ଏହି କରୋନା ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ବିଶେଷଙ୍କର ପୁନର୍ବାର(ଆରଆରଟି) ଯାଞ୍ଚ କରାଯିବ । ଚଳିତ ମାସ ୨୦ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୁସ୍ଥ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ସେଥିପାଇଁ ଏଏନ୍ଏମ୍, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆୟୁଷ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଦଳ ଗଠନ ହେବ ଏବଂ ସେହି ଦଳ ନିଜର ସୁରକ୍ଷା ନିମନ୍ତେ ସତର୍କ ରହି କାର୍ଯ୍ୟ ପରିଚାଳନା କରିବେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହିତ ସେମାନଙ୍କର ତଥ୍ୟ ଏକ ନିର୍ଦ୍ଧାରିତ ଫର୍ମରେ ପୂରଣ କରିବେ । ଯଦି ଆବଶ୍ୟକ ପଡେ ତେବେ ଅନ୍ୟ ଜିଲ୍ଳାରୁ ଡେପୁଟେସନରେ ଏଏମ୍ଓ ଏବଂ ଏଚ୍ଏମ୍ଓ ମାନଙ୍କର ସେବା ମଧ୍ୟ ଗ୍ରହଣ କରି ଏହି କାର୍ଯ୍ୟ ସମ୍ପାଦନ କରିବାକୁ ସୁପରିଟେଣ୍ଡଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଯଦି କୌଣସି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ସୁଦ୍ଧା ପୁନର୍ବାର କରୋନା ସଂକ୍ରମଣ ଲକ୍ଷଣ ରହୁଛି ତେବେ ସେମାନଙ୍କୁ କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ସହ ଚିକିତ୍ସା କରିବା ବ୍ୟବସ୍ଥା ରହିଛି । ଅକ୍ସିଜେନ ସ୍ତର, ପଲ୍ଲସ ରେଟ, ତାପମାତ୍ରା ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାନଗର ନିଗମ କମିଶନରଙ୍କ ଦ୍ୱାରା ଏହାର ସୁପରିଚାଳନା ନିମନ୍ତେ ସୁପରଭାଇଜର ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
Related Stories
November 28, 2024