
ବ୍ରହ୍ମପୁର: ନ୍ୟାସନାଲ କୋର୍ଡିନେସନ୍ସ ମିଟ୍ ଅଫ୍ ଇଲେକ୍ଟ୍ରିସିଟି ଏମ୍ପ୍ଲାୟଜ ଆଣ୍ଡ ଇଞ୍ଜିନିୟରସଙ୍କ ଆହ୍ୱାନକ୍ରମେ ସାରା ଭାରତର ୧୫ଲକ୍ଷ ବିଜୁଳି କର୍ମଚାରୀ ଓ ଇଞ୍ଜିନିୟର ମଙ୍ଗଳବାର ଦିନକୁ ଶକ୍ତି ସୁରକ୍ଷା ଦିବସ ରୂପେ ପାଳନ କରିବା ସହ ଇଲେକ୍ଟ୍ରିସିଟି ଆମେଣ୍ଡମେଣ୍ଟ ବିଲ୍ ୨୦୨୦ ବିଲ୍ ସହ ଓଡ଼ିଶା, ଉତ୍ତରପ୍ରଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ଘରୋଇକରଣ ବିରୁଦ୍ଧରେ ପ୍ରତିବାଦ ସଭା କରାଯାଇଥିଲା । ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ, ଇଞ୍ଜିନିୟର ଓ ଅଫିସ୍ରମାନେ ମଧ୍ୟ ଏହି ପ୍ରତିବାଦରେ ସାମିଲ୍ ହୋଇ ସେସୁକୁ ବିକ୍ରି ବାତିଲ କରିବା, ୱେସକୋ, ନେସକୋ ଓ ଘରୋଇକରଣ ବନ୍ଦ କରି ଉତ୍ତରପ୍ରଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍ ବିତରଣ ଘରୋଇକରଣ ବନ୍ଦ ଓ କୋଆଇ ଇଣ୍ଡିଆର ଘରୋଇକରଣ ବନ୍ଦ କରିବାକୁ ଦାବି କରିଥିଲେ । ଓଡ଼ିଶାର କର୍ମଚାରୀ ଓ ଇଞ୍ଜିନିୟର ଏକତା ମଞ୍ଚ ନେତୃତ୍ୱରେ ବାରମ୍ବାର ବିଫଳ ହୋଇଥିବା ଘରୋଇକରଣ ବ୍ୟବସ୍ଥାର ଓଡ଼ିଶା ସରକାର ଓ ବିଦ୍ୟୁତ୍ ନିୟାମ ଆୟୋଗ ଦ୍ୱାରା ପୁନ ପ୍ରଚଳନକୁ ଘୋର ବିରୋଧ କରାଯାଇଥିଲା । ଏକତା ମଞ୍ଚ ପକ୍ଷରୁ ଦୁଇ ଦଶନ୍ଧିର ଘରୋଇକରଣ ପ୍ରୟୋଗ ବିଦ୍ୟୁତ୍ ବିଭାଗକୁ ଆର୍ଥିକ ଦୃଷ୍ଟିରୁ ପ୍ରାୟ ଦେବାଳିଆସ୍ଥିତିକୁ ନେଇଆସିଛି ଏବଂ ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଦେବାରେ ମଧ୍ୟ ବିଫଳ ହୋଇଛି ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ । ସମ୍ପ୍ରତି ସେସୁକୁ ବିକ୍ରି କରିବା ପରେ ଜଣାପଡିଛି ଗ୍ରୀଡ୍କୋ ଓ ସିପିଟିସିଏଲ୍ ସେସୁ ଠାରୁ ପାଇବାକୁ ଥିବା ପ୍ରାୟ ୨୨୦୦କୋଟି ଟଙ୍କା ବୁଡିବାକୁଯାଉଛି । ଏହି ଟଙ୍କା ପାଇବାର କୌଣସି ପ୍ରାବଧାନ ବିଦ୍ୟୁତ୍ ନିୟାମକ ଆୟୋଗ କରିନଥିବା ବେଳେ କର୍ମଚାରୀଙ୍କ ପେନ୍ସନ୍, ଗ୍ରାଚ୍ୟୁଟି ଫଣ୍ଡ୍ରେ କମ୍ ଥିବା ପ୍ରାୟ ୧୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା କିଏ ଭରଣା କରିବ ସେନେଇ ଅନିଶ୍ଚିତତା ଦେଖାଦେଇଛି । ମିଳିତ ନେତୃତ୍ୱପକ୍ଷରୁ ଦାବି କରାଯାଇଛି ଯେ, ସେସୁ ବିକ୍ରି ପରେ ଏତେ ସମସ୍ୟା ସୃଷ୍ଟଇ ହୋଇଥିଲେ ମଧ୍ୟ ଏକତରଫା ଭାବେ ୱେସକୋ, ନେସକୋ ଓ ସାଉଥ୍କୋ ଘରୋଇକରଣ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ନେଉଛନ୍ତି କମିଶନ । ସମସ୍ତ ବିଦ୍ୟୁତ୍ କମ୍ପାନୀ ମାନଙ୍କରେ କର୍ମଚାରୀମାନଙ୍କର ୧୦ପ୍ରତିଶତ ଭାଗିଦାରୀ ଥିଲେ ମଧ୍ୟ କର୍ମଚାରୀମାନଙ୍କୁ ବିଶ୍ୱାସକୁ ନିଆଯାଉନାହିଁ । ବିଦ୍ୟୁତ୍ ଏକ ଅତିଆବଶ୍ୟକୀୟ ବସ୍ତୁ ହୋଇଥିଲେ ମଧ୍ୟ ବିନା ଜନଶୁଣାଣୀରେ ଗୋଟିଏ ପରେ ଗୋଟିଏ କମ୍ପାନୀ ବିକ୍ରି କରି ଚାଲିଛି ଆୟୋଗ । ଘରୋଇକରଣ ଓ ବିଜୁଳି ସଂଶୋଧନ ବିଲ୍କୁ ଭାରତ ବର୍ଷର ୧୨ଟି ପ୍ରଦେଶ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ସରକାର କଡା ବିରୋଧ କରିଥିବା ବେଳେ ମଞ୍ଚ ପକ୍ଷରୁ ଓ ଓଡ଼ିଶା ସରକାର ମଧ୍ୟ ଏହାର ବିରୋଧ ପାଇଁ ଅନୁରୋଧ କରାଯାଉଛି । କାରଣ ଓଡ଼ିଶା ଘରୋଇକରଣର କୁପରିଣାମ ପୂର୍ବରୁ ଭଲଭାବେ ଜାଣିଛିା ମିଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ ସାଉଥ୍କୋ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେସୁ ବିକ୍ରିକୁ ବାତିଲ କରିବା, ୱେସକୋ, ନେସକୋ ଓ ସାଉଥ୍କୋର ଘରୋଇକରଣ ପ୍ରକ୍ରିୟାକୁ ବନ୍ଦ କରିବା, ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦କୁ ପ୍ରତ୍ୟାହାର କରିବା, କୋଲଇଣ୍ଡିଆ ଘରୋଇକରଣକୁ ବାତିଲ ସହିତ ବିଜୁଳି ବ୍ୟବହାରକୁ ମୌଳିକ ଅଧିକାର ଭାବେ ଗ୍ରହଣ କରିବା ଦାବି ନେଇ ମିଳିତ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯିବା ସହ ଐତିହାସିକ ସଫଳତା ପାଇଁ ସାରା ଭାରତର ବିଜୁଳି କର୍ମଚାରୀ ଓ ଇଞ୍ଜିନିୟରଙ୍କୁ ଅଭିନନ୍ଦନ ଜଣାଇ ଯାଇଥିଲା । ଏହାଛଡା ଘରୋଇକରଣ ଓ ବିଜୁଳି ସଂଶୋଧନ ବିଲ୍ ୨୦୨୦କୁ ତରବରିଆ ଭାବେ ସଂସଦରେ ଉପସ୍ଥାପନ କରାଯାଏ ତେବେ ସାରା ଭାରତର ବିଜୁଳି କର୍ମଚାରୀ ଓ ଇଞ୍ଜିନିୟର ମିଳିତ ମଞ୍ଚ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବ୍ୟାପକ ଆନ୍ଦୋଳନ କରିବେ । ଏହାର ପରିଣାମ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଓଡ଼ିଶାର ବିଜୁଳି କର୍ମଚାରୀ, ଇଞ୍ଜିନିୟର ଓ ଅଫିସ୍ରମାନେ ଚେତାବନୀ ଦେବା ସହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO