
ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୪ତମ ସ୍ୱାଧିନତା ଦିବସ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି । ଉପଖଣ୍ଡସ୍ତରୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ଆଓ ନିଜ ଅଭିଭାଷଣରେ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତା’ସହିତ ଦେଶର ସ୍ୱାଧିନତା ପାଇଁ ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବାଜି ଲଗେଇ ବଳିଦାନ ଦେଇ ସ୍ୱାଧିନତା ଆଣିଥିଲେ ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶ ସ୍ୱାଧିନତା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଦଳିତ, କୁସଂସ୍କାର, ସନ୍ତ୍ରାସବାଦ, ମାଓବାଦୀ ଆଦି ଭିନ୍ନ ପ୍ରକାର ସାମାଜିକ ଅର୍ଥନୈତିକ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡିବ । ଆଜି ସାରା ଭାରତ ବର୍ଷରେ ଆମ ସାମ୍ନାରେ ଛିଡା ହୋଇଅଛି କରୋନା । ଆମେ ଏହି ବିପଦକୁ ନିଜକୁ ଜଣେ ଜଣେ କରୋନା ଯୋଦ୍ଧା ଭାବି ପ୍ରତିହତ କରିବାକୁ ପଡିବ । ସାରା ବିଶ୍ୱରେ ଦେଖାଦେଇଥିବା ଏହି ମହାମାରୀ ଆମ ରାଜ୍ୟର କୋଣ ଅନୁକୋଣରେ ବ୍ୟାପି ଚାଲିଛି, ତା ମଧ୍ୟ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟାପକତା ସମଗ୍ର ରାଜ୍ୟରେ ଅତ୍ୟଧିକ ହୋଇ ଅନେକ ଧନ ଜୀବନ ହାନି ଘଟିଛି । ଏହି କରୋନା ମୁକାବିଲା ଦିଗରେ ଆମ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ଭୂମିକା ଅତି ଉଚ୍ଚକୋଟିର ବୋଲି ପ୍ରକାଶ କରିଥିଲେ । ଏହି ଉପଖଣ୍ଡସ୍ତରୀୟ ୭୪ତମ ସ୍ୱାଧିନତା ଦିବସ ଉତ୍ସବରେ ଉପଜିଲ୍ଳାପାଳ ତଥା ପାଳନ କମିଟିର ଅଧ୍ୟକ୍ଷ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, କୋଭିଡ୍ ହସ୍ପିଟାଲର ଓଏସ୍ଡି ଭି.କ୍ରିତି ବାସନ ଯୋଗ ଦେଇଥିଲେ । ଏହି ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଆଗଧାଡିର କରୋନା ଯୋଦ୍ଧା ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଶିକ୍ଷକ, ପୋଲିସ, ଅଗ୍ନିଶମ ଓ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ଆନ୍ତର୍ଜାତୀକ ସ୍ତରରେ ସମ୍ମାନୀତ ହୋଇଥିବା “ମାସ୍କ’’ ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ଏବଂ ଶ୍ରେଷ୍ଠ କୋଭିଡ୍ ଯୋଦ୍ଧା ଭାବେ ବ୍ର୍ରହ୍ମପୁର ଏସ୍ଡିଏମ୍ଓ ଡଃ.ଶ୍ୱେତ କୁମାର ଦାସ, ମାସ୍କ ପ୍ରାମାଣିକ ଚଳଚ୍ଚିତ୍ରରେ ଭଲ ଅଭିନୟ କରିଥିବା ନବମ ଶ୍ରେଣୀର ଛାତ୍ର ଅଜୟ ଚୌଧୁରୀଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବରେ ଆର୍.ଆଇ ଅଫ୍ ପୋଲିସ ଦିଲ୍ଳୀପ କୁମାର ବେହେରା ପ୍ୟାରେଡ୍ ପରିଚାଳନା କରିଥିଲେ । ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଗୁଡିକ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଗୌରୀଶଙ୍କର ଶତପଥୀ ଓ ଲୋକନାଥ ଶତପଥୀ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ ଷ୍ଟାଡିୟମ୍ ପରିସରରେ ବୃକ୍ଷରୋପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO