ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାର ପରେ ଏବେ ବାଳସ୍ୱଧାର ଗୃହର ୪୫ଜଣ ନାବାଳକ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ସୁବୋଧ ଷଢ଼ଙ୍ଗୀ ବାଳସ୍ୱଧାର ଗୃହରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ସୂଚନା ଦିଆଯାଇଛି । ବ୍ରହ୍ମପୁର ଜରଡା ବଙ୍ଗଳା ରାସ୍ତାରେ ରହିଛି ବାଳସ୍ୱଧାର ଗୃହ । ବିଭିନ୍ନ ଅପରାଧ ମାମଲାରେ ଜଡିତ ହେଉଥିବା ନାବାଳକଙ୍କୁ ଏଠାରେ ରଖାଯାଇଥାଏ । ଓଡ଼ିଶାର ୧୨ଟି ଜିଲ୍ଲାରୁ ଏଠାକୁ ନାବାଳକ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଥାଏ । କିଛିଦିନ ହେଲା କେତେକ ନାବାଳକଙ୍କୁ ସାମାନ୍ୟ ଥଣ୍ଡା, ଜ୍ୱର ହେବାରୁ ଗତକାଲି ୭୫ଜଣ ଅନ୍ତେବାସୀଙ୍କ ଆଣ୍ଡିଜେନ୍ ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ୪୫ଜଣ ନାବାଳକଙ୍କ ନମୁନା ପଜିଟିଭ ଆସିଥିଲା । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ନାବାଳକଙ୍କୁ ସଙ୍ଗରୋଧରେ ରଖାଯାଇଛି । ସ୍ୱାସ୍ଥ୍ୟ ଟିମ୍ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି । ଅନ୍ତେବାସୀଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା କୋଭିଡ୍ର ସେମିତି କୌଣସି ଲକ୍ଷଣ ଦେଖାଯାଇନାହିଁ । ତେବେ କେମିତି ଓ କିଭଳି ପରିସ୍ଥିତିରେ ବାଳସ୍ୱଧାର ଗୃହର ଅନ୍ତେବାସୀ କରୋନା ପଜିଟିଭ ହେଲେ ତାହା ସ୍ପଷ୍ଟ ହୋଇନାହିଁ । ପ୍ରକାଶଥାଉକି ଗତ କିଛିଦିନ ତଳେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୪୪ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତନ୍ମଧ୍ୟରେ ଜେଲ୍ରଙ୍କ ସମେତ ୯ଜଣ କର୍ମଚାରୀ ଓ ୩୫ଜଣ ଅନ୍ତେବାସୀ ରହିଥିଲେ । ସେମାନଙ୍କ ପାଇଁ ଜେଲ୍ ପରିସରରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କରାଯାଇ ଚିକିତ୍ସା ଜାରି ରହିଛି ।
Related Stories
November 23, 2024