ପୁରୀ– ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ଧରି ଅବସ୍ଥାନ କରିବା ପରେ ନବଦିନ ବ୍ୟାପୀ ରଥଯାତ୍ରାର ଆଜି ନବମ ଦିବସରେ ଶ୍ରୀ ମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତି । ଆଜି ପବିତ୍ର ଏକାଦଶୀ ତିଥିରେ ରାତି ୩ଟା ୫୦ରୁ ମଙ୍ଗଳ ଆଳତୀ, ୪ଟା ୫ ରେ ମଇଲମ, ୪ଟା ୨୦ ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ସମାପନ ହୋଇଥିଲା । ୪ଟା ୩୦ରେ ଅବକାଶ ୪ ଟା ୫୫ ରେ ସୂର୍ଯ୍ୟପୂଜା, ୫ଟାରେ ଦ୍ୱାରପାଳ ପୂଜା ଓ ୫ଟା ୧୦ରେ ବେଶ ଶେଷ ହୋଇଥିଲା । ୫ଟା ୫୦ରୁ ୬ଟା ୨୦ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ଶ୍ରୀ ବିଗ୍ରହ ମାନେ ସେନାପଟା ଲାଗି ହୋଇଥିଲେ । ପରେ ବିଜେ କାହାଳୀ ବାଜିବା ପରେ ବାହୁଡ଼ା ପହଣ୍ଡି ସକାଳ ୭ଟା ୨୦ ରୁ ଆରମ୍ଭ ହୋଇଥିଲେ । ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତି ରଥକୁ ବିଜେ କରିଥିଲେ । ପ୍ରଥମେ ଚତ୍ରରାଜ ଶୁଦର୍ଶନଙ୍କୁ ପହଣ୍ଡିରେ ନେଇ ଦର୍ପଦଳନ ରଥରେ ବିଜେ କରାଇଥିଲେ । ପରେ ପରେ ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା, ଓ ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦଇତାପତି ସେବକ ଓ ପହଣ୍ଡିରେ ନିୟୋଜିତ ସେବକ ମାନେ ପ୍ରଭୁଙ୍କୁ ରଥାରୁଢ଼ କରିଥିଲେ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କୁ ରୁନ୍ଧା ଯାଇଥିଲା । ୯ଟା ୩୫ରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ମହାଜନ ସେବକ ମାନେ ହାତରେ ଧରି ନନ୍ଦିଘୋଷ ରଥରେ ବିଜେ କରାଇଥିଲେ । ପରେ ପରେ ରାମକୃଷ୍ଣଙ୍କୁ ତାଳଧ୍ୱଜ ରଥରେ ବିଜେ କରାଇଥିଲେ । ୧୦ଟା ୩୦ରୁ ୧୧ଟା ୧୫ ମିନିଟ୍ ମଧ୍ୟରେ ଗଜପତି ମହାରାଜ ଶ୍ରୀନଅରରୁ ଥାଟପଟୁଆର ଧରି ଶ୍ରୀନଅରରୁ ଆସି ତିନି ରଥରେ ଛେରାପହଁରା କରିଥିଲେ । ଛେରାପହଁରା ପରେ ତିନି ରଥରୁ ଚାର ମାଳ ଫିଟା ଯାଇଥିଲା । ଘୋଡ଼ା ଓ ସାରଥୀ ଲାଗି ଥିଲା ।
ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୨୫ ରେ ଟଣା ଯାଇଥିଲା । ସେହିପରି ସେହିପରି ୧୨ଟା ୨୫ ରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଏହାର ଘଂଟାଏ ପରେ ନନ୍ଦିଘୋଷ ରଥ ଟଣା ଯାଇଥିଲା । ପୋଲିସ ଓ ସେବାୟତ ମାନେ ରଥ ଟାଣିଥିଲେ । ପୂର୍ବରୁ ରଥଯାତ୍ରାରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀଙକ୍କ କୋଭିଡ଼୍ ଟେଷ୍ଟ କରାଯାଇଥିଲା । କିନ୍ତୁ ସେସବୁ ନେଗେଟିଭ୍ ଆସିଥିଲା । ଖାଲି ପାଦରେ ସେବାୟତ ମାନେ ଶ୍ରୀଗୁଣ୍ଡିଚା ଦିନ ରଥ ଟାଣିବା ଫଳରେ ବଡ଼ଦାଣ୍ଡ ପିଚୁ ତାତିବା ଯୋଗୁଁ ଅନେକ ସେବାୟତଙ୍କ ଗୋଡ ଫୋଟକା ହୋଇଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ବାହୁଡ଼ା ଯାତ୍ରାରେ ଅଗ୍ନିଶମ ବିଭାଗ ପକ୍ଷରୁ ପିଚୁ ନତାତିବା ପାଇଁ ବାରମ୍ବାର ବଡ଼ଦାଣ୍ଡରେ ପାଣି ସ୍ପ୍ରେ କରାଯାଇଛି ।
ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏପରିକି କୌଣସି ଯାନବାହନ, ବସ୍, ଟ୍ରେନ୍ ଗତକାଲି ରାତି ୧୦ଟା ଠାରୁ ପୁରୀକୁ ନଆସିବା ନେଇ କଟକଣା ଜାରୀ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି । ୪୦୦ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ପୂର୍ବରୁ ଏଡିଜେ ସୌମେନ୍ଦ୍ର ପ୍ରିୟଦର୍ଶି ସୂଚନା ଦେଇଛନ୍ତି ।
ସେହିପରି ପୁରୀ ବଡ଼ଦାଣ୍ଡକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏଥିସହ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ଭକ୍ତ ବଡ଼ଦାଣ୍ଡକୁ ପ୍ରବେଶ ନକରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ଉମାଶଙ୍କର ଦାଶ ସମସ୍ତଙ୍କୁ ନିବେଦନ କରିଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା କିପରି ସୁଚାରୂ ରୂପେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି ।