ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୨୫ ରେ ଟଣା ଯାଇଥିଲା । ସେହିପରି ସେହିପରି ୧୨ଟା ୨୫ ରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଏହାର ଘଂଟାଏ ପରେ ନନ୍ଦିଘୋଷ ରଥ ଟଣା ଯାଇଥିଲା । ପୋଲିସ ଓ ସେବାୟତ ମାନେ ରଥ ଟାଣିଥିଲେ । ପୂର୍ବରୁ ରଥଯାତ୍ରାରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀଙକ୍କ କୋଭିଡ଼୍ ଟେଷ୍ଟ କରାଯାଇଥିଲା । କିନ୍ତୁ ସେସବୁ ନେଗେଟିଭ୍ ଆସିଥିଲା । ଖାଲି ପାଦରେ ସେବାୟତ ମାନେ ଶ୍ରୀଗୁଣ୍ଡିଚା ଦିନ ରଥ ଟାଣିବା ଫଳରେ ବଡ଼ଦାଣ୍ଡ ପିଚୁ ତାତିବା ଯୋଗୁଁ ଅନେକ ସେବାୟତଙ୍କ ଗୋଡ ଫୋଟକା ହୋଇଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ବାହୁଡ଼ା ଯାତ୍ରାରେ ଅଗ୍ନିଶମ ବିଭାଗ ପକ୍ଷରୁ ପିଚୁ ନତାତିବା ପାଇଁ ବାରମ୍ବାର ବଡ଼ଦାଣ୍ଡରେ ପାଣି ସ୍ପ୍ରେ କରାଯାଇଛି ।
ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏପରିକି କୌଣସି ଯାନବାହନ, ବସ୍, ଟ୍ରେନ୍ ଗତକାଲି ରାତି ୧୦ଟା ଠାରୁ ପୁରୀକୁ ନଆସିବା ନେଇ କଟକଣା ଜାରୀ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି । ୪୦୦ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ପୂର୍ବରୁ ଏଡିଜେ ସୌମେନ୍ଦ୍ର ପ୍ରିୟଦର୍ଶି ସୂଚନା ଦେଇଛନ୍ତି ।
ସେହିପରି ପୁରୀ ବଡ଼ଦାଣ୍ଡକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏଥିସହ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ଭକ୍ତ ବଡ଼ଦାଣ୍ଡକୁ ପ୍ରବେଶ ନକରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ଉମାଶଙ୍କର ଦାଶ ସମସ୍ତଙ୍କୁ ନିବେଦନ କରିଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା କିପରି ସୁଚାରୂ ରୂପେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି ।