-
କନେଷ୍ଟବଳ ନା ଅନ୍ୟ ଅଧିକାରୀ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି !
-
ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏସ୍ପିଙ୍କ ହସ୍ତକ୍ଷେପ ଲୋଡିଲେ ବୃଦ୍ଧିଜୀବୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । କାଳେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରିବ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ଘଣ୍ଟିଆ ସଡ୍ ଡାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ କୌଣସି ଦୋକାନ ଖୋଲା ହେଉନି । ମେଡିକାଲ୍କୁ ଯିବା ଆସିବା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ମୋଟର ଯାନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ କିଛି ÷ଅମାନିଆ ମୋଟରଯାନ ବ୍ୟବହାର କରୁଥିବା ଜଣାପଡିବାପରେ ପ୍ରଶାସନ ପକ୍ଷରୁ ରେଡ୍କ୍ରସ୍ ପାଣ୍ଠି ବୃଦ୍ଧି ପାଇଁ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ବା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ ଜୋରିମାନା ଆଦାୟ କରାଯାଉଛି । ଏହି ସମୟରେ ଜାଲ୍ ରସିଦ ଜରିଆରେ ଜୋରିମାନା ଲୁଟ୍ ଉଦ୍ୟମ ଘଟଣାରେ ଜଣେ ପୋଲିସ କନେଷ୍ଟବଳଙ୍କ ସମ୍ପୃକ୍ତି ଓ ପରେ ଗିରଫ ହେବା ଘଟଣା ପୋଲିସର ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ବଡ ଘଟଣାରେ ଜଣେ କନେଷ୍ଟବଳଙ୍କ ସମ୍ପୃକ୍ତ ଅଛି ନା ଅନ୍ୟ କୌଣସି ପୋଲିସ କର୍ମଚାରୀ ନା ପ୍ରଶାସନିକ ଅଧିକାରୀମାନେ ସାମିଲ୍ ହୋଇଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ । ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ରସିଦ୍ ବହି ଜବତ ହୋଇନାହିଁ । ସେଗୁଡିକୁ କେଉଁଠାରେ ନଷ୍ଟ କରାଯାଇଛି ନା ଲୁଚା ଯାଇଛି ତାହା ପୋଲିସ ସୂଚନା ନଦେବା ଘଟଣା ପୋଲିସର ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଏହି ଜାଲ୍ କାରବାରରେ ପୋଲିସ ବିଭାଗର କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତ ପ୍ରକ୍ରିୟାକୁ ତରବରିଆ ଭାବେ ସାରି ଦିଆଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ଧରୁଛି । ଏତେବଡ ଜାଲ୍ କାରବାର ପଛରେ ଜଣେ ମାତ୍ର କର୍ମଚାରୀଙ୍କ ସମ୍ପୃକ୍ତିଙ୍କୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏଭଳି ଏକ ବଡ ର୍ୟାକେଟ୍ ପଛରେ ଏକାଧିକ ଲୋକଙ୍କ ହାତ ରହିଥିବା ସନ୍ଦେହ ହୋଇଛି ।

କାରଣ କନେଷ୍ଟବଳଜଣକ ବ୍ରହ୍ମପୁର ଟ୍ରାଫିକ୍ ଥାନାରେ ରାଇଟର ଭାବେ କାର୍ଯ୍ୟ କରନ୍ତି । ଟ୍ରାଫିକ୍ ଥାନାରେ ଜଣେ ଇନ୍ସିପେକ୍ଟର ସହ ଏହାର ପରିଚାଳନା ପାଇଁ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଦାୟୀତ୍ୱରେ ରହିଛନ୍ତି । ତେବେ ଏଭଳି ଘଟଣା ଟ୍ରାଫିକ୍ ଥାନାରେ ଘଟିଥିବା ବେଳେ ୨ ଅଧିକାରୀ କିପରି ଜାଣିପାରିଲେ ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ତେଣୁ ବ୍ରହ୍ମପୁର ଏସ୍ପି ଏହି ଘଟଣାର ତଦନ୍ତକଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବୃଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି । ଜୋରିମାନା ଆଦାୟ ବେଳେ ନିୟମ ଉଲ୍ଲଂଘନକାରୀଙ୍କୁ ରେଡକ୍ରସ୍ ଲେଖାଯାଇଥିବା ଏକ ରସିଦ୍ ଦିଆଯାଉଛି । ପ୍ରତିଦିନ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରରେ କୋଭିଡ୍-୧୯ ଓ ଟ୍ରାଫି୍କ ନିୟମ ଉଲ୍ଲଂଘନ ଅଭିଯୋଗରେ ଲକ୍ଷାଧିକ ଟଙ୍କା ଜୋରିମାନା ଆକାରରେ ଆଦାୟ ହେଉଛି । ଏହି ଜୋରିମାନା ଆଦାୟରେ ବ୍ୟବହାର ହେଉଥିବା ରସିଦ୍ ଜାଲ୍ ହୋଇଥିବା ଖବର ପ୍ରଘଟ ହେବାପରେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅବଶ୍ୟ ସେହି ଜାଲ୍ ରସିଦ୍ ଜୋରିମାନା ଆଦାୟ କରିବା ପାଇଁ କାହାକୁ ଦିଆଯାଇନାହିଁ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟିକରଣ କୁଆଡେ ଦିଆଯାଉଛି । ତଥାପି ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଘଟଣାପଛରେ ଆଉ କେଉଁ ଲୋକଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତକରି ଲୋକ ଲୋଚନକୁ ଆଣିବାକୁ ସାଧାରଣରେ ଦାବି ହୋଇଛି । ଜଣେ କନେଷ୍ଟବଳ ଏତେବଡ କଳାକାରନାମା କିପରି କଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଘଟଣାର ନିରପେକ୍ଷ ତଦନ୍ତକରି ଘଟଣାର କିଏ କିଏ ମୁଖ୍ୟ ଭୂମିକାରେ ରହିଛନ୍ତି ତାଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍ପିଙ୍କୁ ଅନୁରୋଧ କରିଛନ୍ତି ବୃଦ୍ଧିଜୀବୀ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO