
-
ପୁଣି ୪୦କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ସୁସ୍ଥ ଓ ଜଣେ ମୃତ
ବ୍ରହ୍ମପୁର: ରବିବାର ଜିଲ୍ଲାରୁ ୪୦ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା ବର୍ତ୍ତମାନ ଜିଲ୍ଲାରେ ୮୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୩୭ଦିନରେ ୬୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୩ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରବିବାର ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ôଚଛି । ତେବେ ରବିବାର ଜିଲ୍ଲାପାଳ ଟ୍ୱିଟ୍ ମାଧ୍ୟମରେ ଜିଲ୍ଲାରେ ୩୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ୪୦ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ ତାଳମେଳ ନଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ୩୮ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରୁ ୧୦ଜଣ କରୋନା ଯୋଦ୍ଧା ରହିଛନ୍ତି । ସେଥିମଧ୍ୟରୁ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡାର ଜଣେ ଲେଖାଏଁ ଥିବାବେଳେ ଚିକିଟି ୨, ପୋଲସରା ୩ ଓ କବିସୂର୍ଯ୍ୟନଗରରୁ ଜଣେ ରହିଛନ୍ତି । ସେହିପରି ବାହାର ରାଜ୍ୟରୁ ଆସି କରୋନା ରୋଗର ଶିକାର ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ସୁରଥ, ତାମିଲନାଡୁ, ମହାରାଷ୍ଟ୍ର, ବେଙ୍ଗଲୋର ଓ କେରଳରୁ ୪ଜଣ ଅଛନ୍ତି । ସେମାନେ ହେଉଛନ୍ତି ବେଲଗୁଣ୍ଠା ବ୍ଲକ୍ରୁ ଜଣେ, ବେଗୁନିଆପଡାରୁ ଜଣେ, ପାତ୍ରପୁରରୁ ଜଣେ, ପୋଲସରା ଜଣେ, ପୁରୁଷୋତ୍ତମପୁର ଜଣେ, ଶେରଗଡର ଜଣେ ରହିଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ୍ରୁ ୨ଜଣ ରହିଛନ୍ତି । ସେହିପରି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨୨ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରେ ଆସିକାରୁ ୨, ବେଗୁନିଆପଡାରୁ ୬, ବେଲଗୁଣ୍ଠାରୁ ଜଣେ, ଗଞ୍ଜାମ ୨, କବିସୂର୍ଯ୍ୟନଗର ୫, ସୋରଡାରୁ ୨ ଓ ଧରାକୋଟ ବ୍ଲକ୍ରୁ ଜଣେ ଅଛନ୍ତି । ସେପଟେ ଜଣେ ୪୯ବୟସ୍କ ଜଣେ ବାହାର ଫେରନ୍ତା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ମୃତକଜଣକ କବିସୂର୍ଯ୍ୟନଗର ବ୍ଲକ୍ର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଟାଟା କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିଲା । ସେ କରୋନା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଗତ ୨ଦିନତଳେ ଗୁରୁତର ହୋଇଥିଲେ । ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।