ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ଥିଲା ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୪ ପୁରୁଷ ଓ ୨୩ ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରେ ୨ ବର୍ଷର ଶିଶୁକନ୍ୟା ଠାରୁ ଆରମ୍ଭ କରି ୬୮ ବର୍ଷିୟା ମହିଳାଙ୍କ ପର୍ଯ୍ୟନ୍ତ ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫୨ ଜଣଙ୍କ ଯାତ୍ରା ବିବରଣୀ ରହିଥିବା ବେଳେ ଅନ୍ୟ ଦୁଇ ଜଣ ମେଡିକାଲ ଟିମ୍ ଦ୍ୱାରା ଘରକୁ ଘର ବୁଲି ସର୍ଭେଲାନ୍ସ ବେଳେ ଚିହ୍ନଟ କରାଯାଇଥିଲା । ସେହିପରି ଏମାନଙ୍କ ମଧ୍ୟରେ ତିନି ଜଣ କୋଭିଡ଼୍ ଯୋଦ୍ଧା ରହିଥିବା ସୂଚନା ମିଳିଛି ।
ଯାତ୍ରା ବିବରଣୀ ଥିବା ୫୨ ଜଣଙ୍କ ମଧ୍ୟରେ ୪ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୬ ଜଣ ମହାରାଷ୍ଟ୍ର ଫେରନ୍ତା, ଜଣେ ଗୁଜୁରାଟ ଫେରନ୍ତା, ୨୯ ଜଣ ତାମିଲନାଡ଼ୁ, ୧୦ ଜଣ ତେଲେଙ୍ଗାନା ଏବଂ ଜଣେ ପଶ୍ଚିମବଙ୍ଗ ଏବଂ ଜଣେ କର୍ଣ୍ଣାଟକରୁ ଫେରିଥିବା ଜଣାପଡିଛି ।
ଏମାନଙ୍କ ମଧ୍ୟରେ ୪୫ ଜଣ ଗୋଷାଣୀ ବ୍ଲକର ଦୁଇଟି ଅସ୍ଥାୟୀ କ୍ୱାରେଂଟାଇନ ସେଂଟରର । ୭ ଜଣ ନୂଆଗଡ଼ ବ୍ଲକ୍ ର ଦୁଇଟି କ୍ୱାରେଂଟାଇନ ସେଂଟରର ରହିଛନ୍ତି । ନମୂନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ ଆର୍. ସୀତାପୁର ସ୍ଥିତ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି ।
ଇତିମଧ୍ୟରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ କୁ ବୃଦ୍ଧି ପାଇଛି । ୭୨ ଜଣ ଆକ୍ରାନ୍ତ କୋଭିଡ଼୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିକୁ ମିଶାଇ ମୋଟ୍ ୯୧ ଜଣ ଚିକିତ୍ସାଧିନ ରହିଛନ୍ତି । ଅର୍ଥାତ୍ ଜିଲ୍ଲାରେ ସକ୍ରିୟ ମାମଲା ସଂଖ୍ୟା ୯୧ ରହିଛି ।