ନୂଆଦିଲ୍ଲୀ– ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସୀମାକୁ ନେଇ ଉପୁଜିଥିବା ବିବାଦ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ପୂର୍ବ ଲଦାଖରେ ପାଖାପାଖି ଏକ ମାସ ହେବ ଉତ୍ତେଜନା ଦେଖାଯାଇଛି । ପୂର୍ବ ଲଦାଖରେ ଲାଇନ୍ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍ଏସି) ଉପରେ ତିନି ପଏଣ୍ଟରୁ ଚୀନ ସୈନିକଙ୍କ କିଛି ପଛକୁ ହଟିବା ପରେ ସଂପୂର୍ଣ୍ଣ ଭାବେ ବିବାଦକୁ ଶେଷ କରିବା ପାଇଁ ବୁଧବାର ଭାରତ ଓ ଚୀନ ସେନାର ମେଜର ଜେନେରାଲ ସ୍ତରରେ ଆଲୋଚନା ହେବାକୁ ଯାଉଛି । ଏହି ବୈଠକରେ ନିର୍ଦ୍ଧାରଣ ହେବ ଯେ, ଭାରତ ଓ ଚୀନ ସୀମାରେ ଉତ୍ତେଜନା କେମିତି ହ୍ରାସ ପାଇବ । ଏହି ବୈଠକ ଉପରେ ସମଗ୍ର ବିଶ୍ୱ ନଜର ରଖିଛି ।
ତେବେ ସୀମାର ବର୍ତ୍ତମାନ ସ୍ଥିତିରୁ ଜାହା ଜଣାପଡୁଛି, ପୂର୍ବ ତୁଳନାରେ ବିବାଦ ହ୍ରାସ ପାଇଛି । ବିଶେଷ ଭାବେ କିଛି ଅଂଚଳରେ ଚୀନ ସେନା ପଛକୁ ଫେରିଯିବା ନେଇ ସଂକେତ ମିଳିସାରିଛି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଫିଙ୍ଗର-୪ ବିବାଦ ଖୁବ ଶୀଘ୍ର ଶେଷ ହେବା ଆଶା କମ ଦେଖାଯାଉଛି । ଜୁନ ୬ର ବୈଠକରୁ ସ୍ପଷ୍ଟ ହେଉଥିଲା ଯେ, ଗତିରୋଧ ସ୍ଥାନୀୟ କମାଣ୍ଡର ଅଥବା ଉଚ୍ଚସ୍ତରୀୟ (ମେଜର ଜେନେରାଲ ସ୍ତର) ବୈଠକରେ ଦୂର ହୋଇପାରିବ ନାହିଁ ।
ସୂତ୍ର ଅନୁସାରେ ଗତିରୋଧର ୪ ପଏଣ୍ଟ ପେଟ୍ରୋଲିଂ ପଏଣ୍ଟ ୧୫ ଓ ହଟ ସ୍ପ୍ରିଙ୍ଗ ଅଂଚଳରୁ ସୈନିକ ହଟିଛନ୍ତି । ଗଲୱାନ ଘାଟିରୁ ଜୁନ ୩ରେ ଚୀନ ସୈନିକମାନେ ପାଖାପାଖି ୨ କିଲୋମିଟର ପଛକୁ ଫେରିଥିଲେ । ଗତିରୋଧର ୪ ପଏଣ୍ଟଗୁଡ଼ିକ ହେଲା, ପ୍ୟୋଗୋଗ ତ୍ୟୋସ ଅଂଚଳରେ ଫିଗର-୪, ଗଲୱାନ ଉପତ୍ୟାକାରେ ପେଟ୍ରୋଲିଂ ପଏଣ୍ଟ-୧୪, ପେଟ୍ରୋଲିଂ ପଏଣ୍ଟ-୧୫ ଓ ହଟସ୍ପ୍ରିଙ୍ଗ ଅଂଚଳ ।