ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଘୋଷଣା ପରେ ଏହା କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ ପଦକ୍ଷେପ । ମିଳିଥିବା ସୂଚନା ଅନୁସାରେ, ଲାରସେନ୍ ଆଣ୍ଡ ଟର୍ବୋ ଏବଂ ଗୋଡ୍ରେଜ୍ ଭଳି 17 ଟି ଦେଶୀୟ କମ୍ଫାନୀ ‘ମେଡ୍ ଇନ୍ ଇଣ୍ଡିଆ’ ଅନ୍ତର୍ଗତ ଛୋଟ ଛୋଟ ଅସ୍ତ୍ରଶସ୍ତ୍ରର ବଡ଼ ଉତ୍ପାଦକ ହେବେ। କେନ୍ଦ୍ର ସରକାରଙ୍କ ସହ ଜଡିତ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ଦେଶର ସାମରିକ ବାହିନୀ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରାଯାଇଥାଏ ।
ହେଲେ ବର୍ତ୍ତମାନ ଏହି କମ୍ପାନୀଗୁଡିକ ସହିତ କେନ୍ଦ୍ର ସରକାର ଆଲୋଚନା କରୁଥିବା ଜଣାପଡିଛି । ଏହି କମ୍ପାନୀ ଗୁଡିକ ଦେଶରେ ନିଜେ କେତେ ପରିମାଣର ଅସ୍ତ୍ର ଶସ୍ତ୍ର ଉତ୍ପାଦନ କରିପାରିବେ ସେ ବିଷୟରେ ଅନୁସନ୍ଧାନ କରାଯାଉଛି | ଏହା ସହ ଚାହିଦା ଅନୁଯାୟୀ ଉତ୍ପାଦନ ସମ୍ଭବ କି ନାହିଁ ? ତାହା ମଧ୍ୟ କେନ୍ଦ୍ର ସରକାର ତର୍ଜମା କରୁଥିବା ଜଣାପଡିଛି । ସୂତ୍ରରୁ ପ୍ରକାଶ ଯେ ଅସ୍ତ୍ରଶସ୍ତ୍ର ତିଆରି କରିବାର ଲାଇସେନ୍ସ ପାଇଥିବା ମନୋନୀତ କମ୍ପାନୀ ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଲୋଚନା କରୁଛନ୍ତି।
ଲାରସେନ୍ ଆଣ୍ଡ ଟର୍ବୋ ଏବଂ ଗୋଡ୍ରେଜ୍ ବ୍ୟତୀତ ଭେମ୍ ଟେକ୍ନୋଲୋଜି, କଲ୍ୟାଣୀ ଷ୍ଟ୍ରାଟେଜିସ୍, ଶ୍ୟାମ ଆମର୍ସ, ପ୍ରିମିୟର ଏକ୍ସପ୍ଲୋସିଭ ଏବଂ HYT ଭଳି ଘରୋଇ କ୍ଷେତ୍ର କମ୍ପାନୀଗୁଡିକ ମଧ୍ୟ ସରକାରଙ୍କ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି | କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା ପାଇଁ ଡକାଯାଇଥିବା ବୈଠକରେ ଆଇଟିବିପି, ବିଏସ୍ଏଫ୍, CRPF, SSB, CISF, NSG ଏବଂ ଆସାମ ରାଇଫଲ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।