
ବ୍ରହ୍ମପୁର : କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଉଥିବା ବେଳେ ଭାରତ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣାକରି ଦେଶର କୃଷକ, ଶ୍ରମିକ ତଥା ସାଧାରଣ ଜନତାଙ୍କୁ ଭୋକ ଓ ଅଭାବ ଦୁନିଆଁକୁ ଠେଲି ଦେବା ସହ ଏହି ଲକ୍ ଡାଉନ୍ ସମୟକୁ ମଧ୍ୟ ନିଜର ଘୃଣ୍ୟ ରାଜନୀତି ପାଇଁ ବ୍ୟବହାର କରିଛି । ତେଣୁ ବୁଧବାର ଟିୟୁସିଆଇ, ଏଆଇକେକେଏସ୍ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ଚର୍ଚ୍ଚ ରୋଡ୍ସ୍ଥିତ ଟିୟୁସିଆଇ କାର୍ଯ୍ୟାଳୟ ନିକଟରୁ ଏକ ପଦଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ଫାଶୀବାଦି ନୀତି ବିରୁଦ୍ଧରେ ପ୍ରତିବାଦ କରିବା ସହ ସମସ୍ତ ସିଏଏ-ଏନ୍ଆର୍ସି ବିରୋଧି ନେତୃତ୍ୱଙ୍କୁ ଖଲାସ କରିବା, ପ୍ରବାସୀ ଶ୍ରମିକଙ୍କୁ ଯଥାଶୀଘ୍ର ସହାୟତା ଦେବା, ଦିଲ୍ଲୀ ଦଙ୍ଗାର ଅସଲ ଆସାମୀଙ୍କୁ ଗିରଫ କରିବା ଆଦି ଦାବି ଉପସ୍ଥାପନାକରି ସ୍ଲୋଗାନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଗଣପ୍ରତିବାଦ ପଦଯାତ୍ରାରେ ଗଞ୍ଜାମ ବାର୍ ଆସୋସିଏଶନ୍ର ପୂର୍ବତନ ସଭାପତି ବରିଷ୍ଠ ଆଇନ୍ଜୀବୀ ଭଗବାନ ସାହୁ, ଟିୟୁସିଆଇର ପି.ପାର୍ବତୀ, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଜନ ଜାଗରଣ ମଞ୍ଚର ମଧୁସୂଦନ ସେଠୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ଗୁରୁଦେବ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।