-
ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ମୂଲ୍ୟାୟନ ହେବ
ବ୍ରହ୍ମପୁର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟରେ ଜୁନ୍ ୨ତାରିଖରୁ ଯୁକ୍ତଦୁଇ ଖାତାଦେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ କୌଣସି କାରଣବସତଃ ଦକ୍ଷିଣାଞ୍ଚଳ ଜୋନ୍ରେ ୩ତାରିଖରୁ ଯୁକ୍ତଦୁଇ ଖାତା ଦେଖା ହେବ ବୋଲି ଦକ୍ଷିଣାଞ୍ଚଳ ମାଧ୍ୟମିକ ଉଚ୍ଚ ଶିକ୍ଷା ପରିଷଦର ଆଞ୍ଚଳିକ ଉପନିର୍ଦ୍ଦେଶକ ଡକ୍ଟର କୁଳମଣି ଓଝା ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ, ବାଣିଜ୍ୟ ବିଭାଗର ସମସ୍ତ ଖାତା ମୂଲ୍ୟାୟନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ସମ୍ପର୍କିତ ସମସ୍ତ ଖାତାର ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟରେ ଅନ୍ଲାଇନ୍ରେ ମୂଲ୍ୟାଙ୍କନ ଆରମ୍ଭ ହେବ । ଆସନ୍ତା ୮ତାରିଖରୁ କେତେକ ଅଞ୍ଚଳରେ ମାନୁଆଲ୍ ପ୍ରକ୍ରିୟାରେ ମୂଲ୍ୟାୟନ ହେବ । ମୂଲ୍ୟାୟନ ପ୍ରକ୍ରିୟାରେ ଖାତା ଦେଖାଯିବା ପାଇଁ ଧାର୍ଯ୍ୟ ହୋଇଥିବା କେନ୍ଦ୍ରଗୁଡିକ ମଧ୍ୟରେ ବ୍ରହ୍ମପୁରସ୍ଥିତ ନୀଳକଣ୍ଠେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରହିଛି । ସେହିଭଳି ସ୍ଥାନୀୟ ସରକାରୀ ଆଇଟିଆଇ, ଗୀତା ଭବନ ନିକଟସ୍ଥ ସିଏସ୍ପି କମ୍ପ୍ୟୁଟରକୁ ଦାୟୀତ୍ୱ ଦିଆଯାଇଛି । ଏହା ବ୍ୟତୀତ ରାୟଗଡାସ୍ଥିତ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଇ-ଭାଲ୍ୟୁଏସନ୍ କାର୍ଯ୍ୟକ୍ରମ ହେବ ବୋଲି ଡାକ୍ତର ଓଝା କହିଛନ୍ତି । ଅନ୍ୟପକ୍ଷରେ ମାନୁଏଲ୍ ପ୍ରକ୍ରିୟାରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଅନ୍ୟ କେତେକ କେନ୍ଦ୍ର ଧାର୍ଯ୍ୟ ହୋଇଛି । ସେଥିମଧ୍ୟରେ ବ୍ରହ୍ମପୁର ସିଟି କଲେଜ, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ହିଞ୍ଜିଳିସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ, ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରହିଛି । ଏହା ବ୍ୟତୀତ ଛତ୍ରପୁରସ୍ଥିତ ସରକାରୀ କଲେଜ ମଧ୍ୟ ପ୍ରସ୍ତାବରେ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଟି କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହୃତ ହେଉଥିବାରୁ ତୁରନ୍ତ ଏହାକୁ ଖାଲିକରି ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଠିକ୍ ସମୟରେ ଏହି କାର୍ଯ୍ୟ ହେଲେ ସେଠାରେ ମଧ୍ୟ ଖାତା ଦେଖା କାର୍ଯ୍ୟକ୍ରମ ହୋଇପାରିବ । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ, ବାଣିଜ୍ୟ ବିଭାଗର ସମସ୍ତ ଖାତା ମୂଲ୍ୟାୟନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ସମ୍ପର୍କିତ ସମସ୍ତ ଖାତାର ମୂଲ୍ୟାୟନ ହେବ ବୋଲି ଡକ୍ଟର ଓଝା ସୂଚନା ଦେଇଛନ୍ତି ।