-
ଜିଲ୍ଲାକୁ ସଂକ୍ରମଣ ବିହୀନ କରିବା ପାଇଁ ଆହ୍ବନ

ବ୍ରହ୍ମପୁର:କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ । ଜୁନ୍ ମାସ ରେ ଅତ୍ୟଧିକ କଟକଣା ବଳବତ୍ତର ରହିବ । ବିନା ମାସ୍କ ରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ ଗରାଖଙ୍କର ବିବରଣୀ ଲିପିବଦ୍ଧ କରିବେ । ଦୋକାନରେ ସାମାଜିକ ଦୂରତ୍ବ ରହିବ । ଦୋକାନ ଆଗରେ ଗରାଖ ପାଇଁ ଗୋଲେଇ ଚିହ୍ନ ରହିବ । ଦୋକାନୀ ହ୍ୟାଣ୍ଡ ଗ୍ଳୋବ୍, ସାନିଟାଇଜର୍ ବ୍ୟବହାର କରିବେ । ଅବମାନନା କଲେ ଜୁନ୍ ମାସ ସାରା ଦୋକାନକୁ ତାଲା ପକାଇ ଦିଆଯିବ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା ବୈଠକ ଅବସରରେ ସମସ୍ତଙ୍କୁ ଦୃଢ ନିଷ୍ପତ୍ତି ଶୁଣାଇଛନ୍ତି । ଗଞ୍ଜାମ ପାଇଁ ଜୁନ୍ ମାସ ଘଡିସନ୍ଧିର ସମୟ । ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ ବାହାରକୁ ବାହାରିବା ନିଷେଧ । ଶନିବାର, ରବିବାର ଜରୁରୀ ସ୍ବାସ୍ଥ୍ୟ ସେବା ବ୍ୟତୀତ କେହି ବି ବାହାରକୁ ବାହାରିବେ ନାହିଁ । ବାହାରିଲେ ବନ୍ଧା ହେବେ । ଗାଡି ମଟର ରାସ୍ତାରେ ଗଡିବ ନାହିଁ । ପୂର୍ବରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ରଖିବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଲୋକମାନେ ନିଜ ଘରେ ସଫଳତାର ସହିତ କ୍ବାରେଣ୍ଟାଇନ୍ କଲେ ତାଙ୍କୁ ନିର୍ଦ୍ଧାରିତ ଅର୍ଥ ମିଳିବା ସହିତ ସାବାସୀ ପ୍ରଦାନ କରାଯିବ । ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ । ଆଗାମୀ ଦିନରେ ଜିଲ୍ଲାରେ ଏକଲକ୍ଷରୁ ଅଧିକ ଲୋକ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ଥିବାରୁ ସେଥିପ୍ରତି କର୍ମଚାରୀ ମାନେ ଅଧିକ ସଜାଗ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଯେଉଁ ଅଞ୍ଚଳରେ ଅଧିକ ଲୋକ କ୍ବାରେଣ୍ଟାଇନ୍ ରେ ଥିବେ ସେମାନଙ୍କ ସହିତ କୌଣସି ବାହାର ଲୋକ ମିଶି ପାରିବେ ନାହିଁ । ସେହି ଅଞ୍ଚଳର ସ୍ଥିତି ଲୋକଙ୍କୁ ସଚେତନ କରିବାପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । ଅମାନ୍ୟ କଲେ କ୍ବାରେଣ୍ଟାଇନ୍ ରେ ରଖାଯିବ । କରୋନା ହଟସ୍ପଟରୁ କେହିବି ଆସିଲେ ତାଙ୍କୁ ଅବିଳମ୍ବେ କ୍ବାରେଣ୍ଟାଇନ୍ କରାଯିବ । ହୋଟେଲ, ପାର୍କ, କୋଚିଙ୍ଗ ସେଣ୍ଟର, ସାମାଜିକ ଉତ୍ସବ, ସାଂସ୍କୃତିକ ଉତ୍ସବ, ଧାର୍ମିକ ଉତ୍ସବ, ରାଜନୈତିକ ସମାରୋହ ବନ୍ଦ ରହିବ । ମନ୍ଦିର, ମସଜିଦ୍, ଗୀର୍ଜାକୁ ଯିବା ବାରଣ କରାଯାଇଛି । ଯେଉଁଠାରେ ଅଧିକ ଜନ ଗହଳି ହେଉଥିବ ସେଠାରୁ ସନ୍ଦେହ ହେଉଥିବା ଲୋକଙ୍କ ସ୍ବାବ ପରୀକ୍ଷା ହେବାପାଇଁ ପଠାଯିବ । ସମସ୍ତ କଟକଣାରୁ କୃଷିକାର୍ଯ୍ୟକୁ ବାଦ୍ ଦିଆଯାଇଛି । କୌଣସି ସରକାରୀ କର୍ମଚାରୀ କରୋନାରେ କାର୍ଯ୍ୟ କରିବାକୁ ମନା କଲେ ସ୍ବତନ୍ତ୍ର କ୍ଷମତା ବଳରେ ଜିଲ୍ଲାପାଳ ତାଙ୍କୁ ଜେଲ ହାଜତକୁ ପଠାଇ ଦେବେ ବୋଲି ପୁଣିଥରେ ଚେତାଇ ଦିଆଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓଟିଡିସି ଏମ୍ ଡି. ହେମକାନ୍ତ ସାଏ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO