
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୬ ଜଣଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ଯେଉଁମାନେ ୭ ଦିନ କ୍ୱାରେଂଟାଇନ ଶେଷ କଲେଣି ଏବଂ ତାଙ୍କର ଶରୀରରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ । ସ୍ୱାବ୍ ଟେଷ୍ଟିଂ ହୋଇନାହିଁ କିମ୍ବା ସ୍ୱାବ୍ ଟେଷ୍ଟିଂ ରିପୋର୍ଟ ପେଣ୍ଡିଂ ନାହିଁ, ସେହିଭଳି କ୍ଷେତ୍ରରେ ଏହି ଅନ୍ତେବାସୀ ମାନଙ୍କୁ କ୍ୱାରେଂଟାଇନ ସେଂଟରରୁ ଘରକୁ ପଠାଯିବାର ପ୍ରକ୍ରିୟ ଆରମ୍ଭ ହୋଇଛି ଏବଂ ଗତକାଲି ସୁଦ୍ଧା ୨୮୦୦ ଜଣ ପ୍ରବସୀଙ୍କୁ କ୍ୱାରେଂଟାଇନ ସେଂଟରରୁ ଘରକୁ ଛଡାଯାଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ୍ ସାହା ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ଯେ, ୮୫୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ବର୍ତମାନ ସୁଦ୍ଧା କ୍ୱାରେଂଟାଇନରେ ରହିଲେଣି । ଘରକୁ ଛାଡିବା ବେଳେ ମଧ୍ୟ ଆଉ ଥରେ ସେମାନଙ୍କର ମେଡିକାଲ ଚେକଅପ୍ କରାଯାଉଛି । କ୍ୱାରେଂଟାଇନ ସେଂଟରଗୁଡିକ ଖାଲି ହେବା ପରେ ତାକୁ ପୁଣି ଥରେ ସୋଡ଼ିୟମ୍ ହାଇପୋ କ୍ଲୋରାଇଡ୍ ସଲ୍ୟୁସନରେ ସାନିଟାଇଜ୍ କରାଯାଉଛି । ଶଯ୍ୟା ଗୁଡିକୁ ସାନିଟାଇଜ୍ କରାଯାଉଛି । ୪୮ ଘଂଟା ପର୍ଯ୍ୟନ୍ତ ସେଗୁଡିକୁ ବ୍ୟବହାର କରାଯାଉନାହିଁ । ୪୮ ଘଂଟା ପରେ ପୁନଃ ଶଯ୍ୟା ଗୁଡିକୁ ବ୍ୟବହାର ଉପଯୋଗୀ କରାଯାଉଛି । ସେହିପରି ଗାଁ ଗହଳିରେ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ବିଶେଷ ତୁରନ୍ତ ଏଏନଏମ ଓ ଆଶାକର୍ମୀଙ୍କ ସହଯୋଗ ନେବା କିମ୍ବା ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।