-
ରାଜ୍ୟ ଏମଏସଏମଇ କାର୍ଯ୍ୟରେ ଆଖିଦୃଶିଆ ଅଭିବୃଦ୍ଧି ଓ ପ୍ରତିଯୋଗିତା ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ
-
ଡିଜିଟାଲ୍ ଇଣ୍ଡିଆ ଓ ମେକ୍ ଇନ୍ ଇଣ୍ଡିଆ ଆଭିମୁଖ୍ୟରେ ଓଡ଼ିଶା ଏମଏସଏମଇ ବଜାର ବିସ୍ତାର ହେବ
ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ‘ଏମଏସଏମଇ ଗ୍ଲୋବାଲ୍ ମାର୍ଟ’ ପୋର୍ଟାଲରେ “ଓଡ଼ିଶା ରାଜ୍ୟ ଇ-ପ୍ରଦର୍ଶନୀ” ( ଇ-ପାଭିଲିୟନ)ର ଉନ୍ମୋଚନ କରିଛନ୍ତି । ଏହା ଓଡ଼ିଶାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଦର୍ଶାଇବା ସହିତ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ସୁବିଧା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ଡିଜିଟାଲ୍ ମଞ୍ଚ । ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ( ଏନଏସଆଇସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ସୁଭ୍ରାଂଶୁ ଶେଖର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏହାର ଆନୁଷ୍ଠାନିକ ଭାବେ ଶୁଭ ଉନ୍ମୋଚନ କରିଛନ୍ତି ।
ପ୍ରାରମ୍ଭରେ ଏନଏସଆଇସିର ପରିଚାଳନା ନିର୍ଦ୍ଦେଶକ ଡ. ଆଚାର୍ଯ୍ୟ, ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ସହ ରାଜ୍ୟର ଏମଏସଏମଇ ପରିବେଶକୁ ସୁଦୃଢ଼ କରିବା ପାଇଁ ମିଳିତ ସହଯୋଗୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଡ. ଆଚାର୍ଯ୍ୟ ଏନଏସଆଇସିର ବିଭିନ୍ନ ପ୍ରମୁଖ ପଦକ୍ଷେପ, ଯେପରିକି ଭାରତ ସରକାରଙ୍କ ଆକାଂକ୍ଷୀ ଯୋଜନା ‘ନ୍ୟାସନାଲ୍ ଏସସି-ଏସଟି ହବ୍ ସ୍କିମ୍’, ଟିମ୍ ଇନିସିଏଟିଭ, ଶ୍ରୀ ପାଣ୍ଠି ପ୍ରଭୃତି ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପ୍ରତି ଉନ୍ମୋଚିତ ‘ଗ୍ଲୋବାଲ ମାର୍ଟ ୨.୦’ ଏବଂ ଓଡ଼ିଶାର ଏମଏସଏମଇ ଗୁଡ଼ିକୁ ବଜାର ସହିତ ଯୋଡ଼ିବା ପାଇଁ ଚାଲିଥିବା ପ୍ରୟାସ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟର ଏମଏସଏମଇ ଗୁଡ଼ିକୁ ଅଧିକ ପ୍ରତିଯୋଗୀ ଏବଂ ବଜାର ସହିତ ଯୋଡ଼ିବା ଲକ୍ଷ୍ୟ ନେଇ ଏନଏସଆଇସି ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ଉପରେ ମୁଖ୍ୟ ଶାସନ ସଚିବ ଏବଂ ଏନଏସଆଇସିର ପରିଚାଳନା ନିର୍ଦ୍ଦେଶକ ସହମତି ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ “ସମଗ୍ର ସରକାରୀ ଦୃଷ୍ଟିକୋଣ” ପ୍ରୟାସରେ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଓଡ଼ିଶାର ଏମଏସଏମଇଗୁଡ଼ିକ ପାଇଁ ଡିଜିଟାଲ୍ ସକ୍ଷମତା, ସମାବେଶୀ ସରକାରୀ ସଂଗ୍ରହ ଏବଂ ବର୍ଦ୍ଧିତ ବଜାର ସୁବିଧା ସୁଗମ ହୋଇପାରିବ ବୋଲି ଗୁରୁତ୍ୱାରୋପ କରିଥିଲେ ।
ଏହି ‘ରାଜ୍ୟ ଇ-ପ୍ରଦର୍ଶନୀ’ ଓଡ଼ିଶାର ଏମଏସଏମଇ ଯେପରିକି ଓଡିଓପି(ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ) ସାମଗ୍ରୀ, ଜିଆଇ-ଟ୍ୟାଗ୍ ପ୍ରାପ୍ତ ଦ୍ରବ୍ୟ, ଶିଳ୍ପ କ୍ଲଷ୍ଟର ଏବଂ କାରିଗରୀ ଉଦ୍ୟୋଗଗୁଡ଼ିକର ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ରଦର୍ଶନୀ ଭାବେ କାର୍ଯ୍ୟ କରିବ । ଏହା ମାଧ୍ୟମରେ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ଡିଜିଟାଲ୍ ବାଣିଜ୍ୟ ସୁଯୋଗ ପାଇଁ ସୁସଂଗଠିତ ପ୍ରବେଶ ସୁବିଧା ମିଳିପାରିବ ।
ଏହି ପଦକ୍ଷେପ ଓଡ଼ିଶାର ଏମଏସଏମଇ ଗୁଡ଼ିକର ଆଖିଦୃଶିଆ କାର୍ଯ୍ୟ, ପ୍ରତିଯୋଗିତା ଏବଂ ସମାବେଶିତାକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ‘ଡିଜିଟାଲ୍ ଇଣ୍ଡିଆ’, ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ର ବ୍ୟାପକ ପରିକଳ୍ପନା ସହିତ ସାମଞ୍ଜସ୍ୟ ରଖୁଛି ।
