
ଅନୁଗୋଳ: ଅନୁଗୋଳ ପୋଲିସ ଗତ ଦୁଇ ଦିନ ତଳେ ଚୋରୀ ହୋଇଥିବା ଏକ ବୋଲେରୋକୁ ଜବତ କରିଥିବା ବେଳେ ଏହି ଚୋରୀରେ ସଂଶ୍ଳିଷ୍ଟ ଥିବା ୨ ଜଣ ଯୁବକଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ୩୧ ତାରିଖ ରାତିରେ ଓଆର ୧୯ଇ-୪୪୧୯ ନମ୍ବର ବିଶିଷ୍ଟ ଏକ ବୋଲେରୋ ଅନୁଗୋଳ ଥାନା ଅନ୍ତର୍ଗତ ସୁଶୁଡା ଖଲାରୀ ରାସ୍ତା କଡରେ ମାଲିକଙ୍କ ଘର ସମ୍ମୁଖରେ ଛିଡା ହୋଇଥିଲା । ବିଳମ୍ବିତ ରାତିରେ କେତେକ ଦୁର୍ବୃତ ଆସି ବୋଲେରୋଟିକୁ ଚୋରୀ କରି ନେଇଯାଇଥିଲେ । ଏ ନେଇ ବୋଲେରୋ ମାଲିକଙ୍କ ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ ହୋଇଥିଲା । ଅନୁଗୋଳ ପୋଲିସ ଉକ୍ତ ଅଭିଯୋଗକୁ ଭିତି କରି ଅନୁଗୁଳ ଥାନା କେସ ନମ୍ବର ୬୭୬ ତା ୧/୯/୨୦୧୯ ଦଫା ୩୭୯ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ । ରବିବାର ଚୋରୀ ବୋଲେରୋର ସନ୍ଧାନ ପାଇ ପୋଲିସ ଗାନ୍ଧୀମାର୍ଗ ଠାରେ ଚଢ଼ାଉ କରିଥିଲା । ଚଢାଉ ବେଳେ ଚୋରୀ ବୋଲେରୋକୁ ଜବତ କରିବା ସହ ଚୋରୀରେ ସଂଶ୍ଳିଷ୍ଟ ଥିବା ଗାନ୍ଧୀ ମାର୍ଗର ଗୌରୀଲାଲ ଗୁପ୍ତା ଏବଂ ଅଜୟ ସାହୁଙ୍କୁ ଗିରଫ କରିଥିଲା । ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଆଇ ଆଇ ସି ରମେଶ ବିଶୋଇ ସୂଚନା ଦେଇଛନ୍ତି ।