ନୂଆଦିଲ୍ଲୀ– ଆସନ୍ତା ୨ ଦିନ ପାଇଁ ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ରାଜସ୍ଥାନରେ ‘ରେଡ ଆଲର୍ଟ’ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଆସନ୍ତା ୨-୩ ଦିନ ମଧ୍ୟରେ ଏହି ରାଜ୍ୟଗୁଡିକର ତାପମାତ୍ରା ୪୭ ଡିଗ୍ରୀ ସେଲସିୟସରେ ପହଂଚିପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।
ଆଇଏମଡି ପକ୍ଷରୁ ସୋମବାର ଦିନ ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି ଯେ ପ୍ରଥମ ଥର ପାଇଁ ହିଟୱେଭ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଆଇଏମଡି ରିପୋର୍ଟ କରିଛି ଯେ ବର୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ଆଗକୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଭାରତରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା – ଗତ ୨ ଦିନ ମଧ୍ୟରେ ରାଜସ୍ଥାନର ଚରୁରେ ୪୭.୬ ରେକର୍ଡ କରାଯାଇଛି ।
ଆଇଏମଡି କହିଛି ଯେ ଦିଲ୍ଲୀ-ଏନସିଆର ସମେତ ସମତଳ ରାଜ୍ୟରେ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ବହୁତ ଅଧିକ ରହିବ । ଉତର ପଶ୍ଚିମ ଭାରତରେ ହିଟ୍ ୱେଭ୍ ଅବସ୍ଥା ହେତୁ ଆସନ୍ତା ତିନି ଏବଂ ଚାରି ଦିନ ମଧ୍ୟରେ ସହରରେ ପ୍ରବଳ ଗରମ ଅନୁଭୂତ ହେବ ।
ଅନପକ୍ଷରେ ଆଇଏମଡିର ଆକଳନ ଅନୁଯାୟୀ, ଜୁନ୍ ପ୍ରଥମ ସପ୍ତାହରେ କେରଳ ଉପକୂଳରେ ମୌସୁମୀ ବର୍ଷା ହେବାର ଆଶଙ୍କା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ ରୁ ଜୁନ୍ ୫ ମଧ୍ୟରେ କେରଳ ଉପକୂଳରେ ପହଂଚିବ ବୋଲି ଆଶା କରାଯାଉଛି । ଜୁନ୍ ୧୫ ରୁ ଜୁନ୍ ୨୦ ମଧ୍ୟରେ ଏହା ମୁମ୍ବାଇରେ ପହଂଚିବ ବୋଲି ଆଶା କରାଯାଉଛି ।