
ବେଲଗୁଣ୍ଠା-୩୦/୪-ଅଦମ୍ୟ ସାହସ ଓ ଦୃଢ଼ ଆତ୍ମବିଶ୍ୱାସ ସହ ଗୁଜୁରାଟର ସୁରତ ସହରରୁ ୨୭୦୦ କିମି ଜଙ୍ଗଲ, ଔ ପାହାଡ ଅତିକ୍ରମ କରି ୧୫ ଦିନର ସାଇକଲ ଯାତ୍ରା କରି ଆଜି ସକାଳ ୯.୧୦ ମିନିଟ ସମୟରେ ନିଜ ଗ୍ରାମରେ ୮ ଜଣ ଶ୍ରମିକ ପହଞ୍ଚିଥିବା ବେଳେ ଶୁକ୍ରବାର ସଂଧ୍ୟା ସୁଦ୍ଧା ଆଉ ୬ ଜଣ ପହଞ୍ଚିବେ ବୋଲି ଜଣାପଡିଛି ।ଲକ୍ ଡାଉନ୍ ଅବଧି ବଢିବା ପରେ ୧୫ ତାରିଖ ସଂଧ୍ୟା ୫ ଟା ସମୟରେ କୌଣସି ଉପାୟ ନ ପାଇ ଗଞ୍ଜାମ ଜିଲ୍ଲାର ସୋରଡାର ୬ ଜଣ ,ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ପଞ୍ଚାୟତ ଗୁଡିବନ୍ଧ ମଖ ସାହିର ୫।ୟ ଜଣ ଓ ଆସ୍କା ନିକଟସ୍ଥ ଖରିଡା ଗ୍ରାମର ତିନି ଜଣ ସମସ୍ତ ୧୪ ଜଣ ୧୪ ଟି ସାଇକଲରେ ଦୁଃସାହସିକ ଯାତ୍ରା କରି ଓଡିଶା ଅଭିମୁଖେ ବାହାରିଥିଲେ ।ପ୍ରଥମ ଦିନ ରାତି ସାରା ସାଇକଲ ଚଲାଇ ୧୭୦।କିମି ଅତିକ୍ରମ କରିବା ପରେ ଗୁଜୁରାଟ -ମହାରାଷ୍ଟ୍ର ସୀମା ରେ ପହଞ୍ଚିଥିଲେ ।ଏତେ ଗୁଡିଏ ସାଇକଲକୁ ଦେଖି ମହାରାଷ୍ଟ୍ର ପୋଲିସ ସମସ୍ତ ୧୪ ଜଣଙ୍କୁ ଅଟକ ରଖିଥିଲେ ।ପରେ ଏମାନଙ୍କ ଦୁଃଖଭରା କାହାଣୀ ଶୁଣିବା ଦୁଇଜଣ ମହାରାଷ୍ଟ୍ର ପୋଲିସ ଜଣେ ୫୦୦ ଓ ୨୦୦ଟଙ୍କା ସହାୟତା ଦେଇ ସୀମା ଦେଇ ନ ଯିବାକୁ ପରାମର୍ଶ ଦେବା ସହ ନଦୀ ଦେଇ ଏକ ରାସ୍ତା ରେ ଯିବାକୁ ସାହାଯ୍ୟ କରିଥିଲେ ।ସାଇକଲରେ ଯାତ୍ରା କରୁଥିବା ବେଳେ ମହାରାଷ୍ଟ୍ରର ଜଣେ ବଦାନ୍ୟ ବ୍ୟକ୍ତି ସମସ୍ତ ୧୪ ଜଣ ଶ୍ରମିକ ଙ୍କୁ ୨୦୦ଟଙ୍କା ଲେଖାଏଁ ଦେବା ସହ ଏକ ବସ୍ତା ବିସ୍କେଟ ଓ ମିକ୍ସଚର ରାସ୍ତାରେ ଖାଇବା ପାଇଁ ଦେଇଥିଲେ ।ଯାହାକି ଏମାନଙ୍କ ୪ ଦିନ ଖାଇବା ପାଇଁ ସହାୟ ହୋଇଥିଲା ।ମଧ୍ୟ ପ୍ରଦେଶରେ ମଧ୍ୟ ଜଣେ ଏନ୍.ଜି.ଓ କର୍ମୀ ସମସ୍ତଙ୍କୁ ୪୦୦୦ଟଙ୍କା ଦେଇଥିଲେ । ବହୁ ଲୋକ ଏମାନଙ୍କୁ ରନ୍ଧା ଖାଦ୍ୟ ବି ଦେଇଥିବା ପ୍ରକାଶ କରିଛନ୍ତି ।ଘଣ୍ଟା ପ୍ରତି ପ୍ରାୟ ୧୦ କିମି ସାଇକଲ ଯାତ୍ରା କରୁଥିବା ପ୍ରକାଶ କରିବା ସହ ଦୈନିକ ୧୯ ରୁ ୨୦ଘଣ୍ଟା ସାଇକଲ ଚଲାଇ ଆସୁଥିବା କହିଛନ୍ତି ।ରାତ୍ରି ୧୨ଟାରୁ ୪ ଟା କେଉଁ ଦିନ ଗଛ ମୁଳରେ ତ କେଉଁ ଦିନ ରାସ୍ତା କଡରେ ଓ କେଉଁ ଦିନ ନଦୀ ବାଲିରେ ଶୋଇଥିବା ପ୍ରକାଶ କରିଛନ୍ତି ।ପୋଲିସ କଟକଣା ଯୋଗୁଁ ମଧ୍ୟ ପ୍ରଦେଶରେ ମଧ୍ୟ ୧୨ ଘଣ୍ଟା ଅଟକ ରହିବାକୁ ପଡିଥିଲା ।ସମୁଦାୟ ୧୩ ଦିନର ୨୭୦୦ କିମି ଅତିକ୍ରମ କରି ଗାଁ ରେ ପହଞ୍ଚିବା ପ୍ରକାଶ କରିଛନ୍ତି ।ଗୁଜୁରାଟରୁ ବାହାରି ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ,ଉତ୍ତର ପ୍ରଦେଶ, ଛତିଶଗଡ଼ ଦେଇ ଓଡିଶାରେ ପହଞ୍ଚିଥିଲେ ।ବିଭିନ୍ନ ରାଜ୍ୟରେ ଏମାନଙ୍କୁ ବହୁ ବଦାନ୍ୟ ବ୍ୟକ୍ତି ଙ୍କ ଦ୍ୱାରା ସହାୟତା ମିଳିଥିବା ବେଳେ ଓଡ଼ିଶା ମାଟି ଛୁଇଁଲା ପରେ ଯେତିକି ଖୁସି ଅନୁଭବ କରିଥିଲେ ତାହାଠାରୁ ଦୁଃଖ ବଳିଯାଇଥିଲା ।ସେମାନେ ସୁରତରୁ ଆସୁଥିବା ଜାଣିବା ପରେ ନୁଆପଡା ଓ ବଲାଙ୍ଗୀର ଜିଲ୍ଲାରେ ସାହାଯ୍ୟ କରିବା ତ ଦୂରର କଥା ମୋବାଇଲ ଚାର୍ଜ କରିବା ପାଇଁ ମଧ୍ୟ ମନା କରି ଛେରେ ଛେରେ ମାର ମାର କରୁଥିବା ସେମାନେ କ୍ଷୋଭର ସହ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।ଓଡ଼ିଶା ପ୍ରବେଶ କରିବା ପରେ ଦୁଇ ଦିନ ଧରି ସାଇକଲରେ ଆସୁଥିବା ବେଳେ ସେମାନେ ରାସ୍ତାରୁ ବିସ୍କେଟ ଓ ଚୁଡା କିଣି ଖାଇଥିବା ପ୍ରକାଶ କରିଛନ୍ତି ।ବୁଧବାର ରାତିରେ ଏମାନେ କନ୍ଧମାଳର ଦାରିଙ୍ଗବାଡିରେ ରାତ୍ରି ଯାପନ କରିଥିଲେ ।ଦାରିଙ୍ଗବାଡି ରୁ ଭୋରୁ ବାହାରି ନୁଆଗାଁ ରେ ଜଳଖିଆ ଖାଇଥିଲେ ।ସେଠାରୁ ୮ ଜଣଙ୍କ ମଧ୍ୟରୁ ଆସିକା ବ୍ଳକ୍ ଖରିଡା ଗ୍ରାମର ସମିର ଡାକୁଆ,ପ୍ରଦୀପ ଡାକୁଆ ଓ ତାଙ୍କ ସଢୁ ବନବାସୀ ଡାକୁଆ ତିନିଜଣ ନିଜ ଗ୍ରାମ ଖରିଡା ଅଭିମୁଖେ ଚାଲିଯାଇଥିଲେ ।ଖରିଡା ରେ ସେମାନେ ୧୦.୧୦ରେ ପହଞ୍ଚିବା ପରେ ଗ୍ରାମ ସ୍କୁଲରେ ସଙ୍ଗରୋଧରେ ରହିଥିବା ଜଣାପଡିଛି ।ଗୁଡିବନ୍ଧ ମଠ ସାହିର ମୁରଲୀଧର ବିଷୋୟୀ ଙ୍କ ଚାରିପୁଅ ତ୍ରିପତୀ, ବାଲାଜୀ ,ମଣ୍ଟୁ ,କାହ୍ନୁ ଓ ଗଣପତି ଦାସ ଏମାନେ ନିଜ ପଞ୍ଚାୟତ କୁଲାଙ୍ଗୀ ରେ ପହଞ୍ଚିବା ପରେ ଏମାନଙ୍କୁ ସୋରଡା ଏବିଡିଓ ରବୀନ୍ଦ୍ର ସେନାପତି, ସରପଞ୍ଚ ସୁନୀତା ମଳିକ,ଗ୍ରାମ ସେବକ ସୁଧିର ଭୁଷଣ,ଉଦୟନାଥ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ସ୍ୱାଇଁ, ଡା.ଅଜିତ ପାଣିଗ୍ରାହି ଚତୁର୍ଭୁଜ ତାରିଣୀ,ଏ.ଏନ୍.ଏମ୍ ପ୍ରିୟମ୍ବଦା ପାଣିଗ୍ରାହୀ ପ୍ରମୁଖ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଉଦୟ ନାଥ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ସଙ୍ଗରୋଧଗୃହରେ ରଖାଯାଇଛ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO