
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସରପଞ୍ଚମାନଙ୍କୁ କହିଛନ୍ତି । କେହି ବି ଅମାନ୍ୟ କଲେ ସରପଞ୍ଚମାନେ ଥାନାରେ ଏତେଲା ଦେବେ । ଅବହେଳା କଲେ ସରପଞ୍ଚମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ବିକାବାଲା ଯେଉଁମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ୱାବ୍ ପରୀକ୍ଷା କରାଯିବ । କିଛି ବି ଲକ୍ଷଣ ଥିଲେ ଅନ୍ୟୁନ ୩ଜଣଙ୍କର ସ୍ୱାବ୍ ବ୍ଳକ ମାନଙ୍କରୁ ସରପଞ୍ଚମାନଙ୍କ ସୁପାରିଶ କ୍ରମେ ପ୍ରତ୍ୟହ ବ୍ରହ୍ମପୁର ଏମ୍କେସିଜି ସ୍ୱାବ୍ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଅନ୍ୟାନ୍ୟ ପୌରାଞ୍ଚଳରୁ ଗୋଟିଏ ଲେଖାଏଁ ଓ ବ୍ରହ୍ମପୁର ମହାନଗର ନିଗମରୁ ୧୦ଟି ସ୍ୱାବ୍ ମଧ୍ୟ ପରୀକ୍ଷା ପାଇଁ ପଠାଯିବ । ଏମ୍କେସିଜି ମେଡ଼ିକାଲ କଲେଜରେ ପ୍ରତିଦିନ ୯୦ଟି ସ୍ୱାବ୍ ପରୀକ୍ଷା କରାଯାଇ ପାରୁଛି । ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ମଇ ୨ ତାରିଖ ସୁଦ୍ଧା ପ୍ରସ୍ତୁତି ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି । ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ସାହାର୍ଯ୍ୟ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ମରାମତି, ରଙ୍ଗ ଦେବା ସହ ଶୌଚାଳୟରେ ୫ଫୁଟ ଉଚ୍ଚ ପର୍ଯ୍ୟନ୍ତ ଟାଇଲ ଲାଗିବ । ଉନ୍ନତମାନର ବିଦ୍ୟୁତ ପଙ୍ଖା ଓ ପାଇପ୍ ପାଣି ସଂଯୋଗ ରହିବ । କ୍ୱାରେଣ୍ଟାଇନ କେନ୍ଦ୍ରକୁ ବାହାର ଫେରନ୍ତା ଆସିବା ପୂର୍ବରୁ ସମ୍ପୃକ୍ତ ଗ୍ରାମରେ ଦୁଇ ଦିନିଆ ସମ୍ପୂର୍ଣ୍ଣ ସଟ୍ଡ଼ାଉନ କରାଯିବ । ସ୍ୱାସ୍ଥ୍ୟ କର୍ମୀ ଏବଂ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ବ୍ୟତୀତ ସେଠାକୁ କେହି ଯାଇପାରିବେ ନାହିଁ । ଯେଉଁମାନେ ପଞ୍ଜିକୃତ ହୋଇଥିବେ, ସରକାରଙ୍କ ପ୍ରଦତ୍ତ ଯାନରେ ଆସିବେ ଏବଂ ନିରବଚ୍ଛିନ୍ନ ଭାବେ ୧୪ଦିନ କ୍ୱାରେଣ୍ଟାଇନରେ ରହିବେ ସେମାନଙ୍କୁ ୨ହଜାର ଟଙ୍କା ପ୍ରୋତ୍ସାହନ ମିଳିବ । ବ୍ୟକ୍ତିଗତ ଯାନରେ ଆସିଲେ କିମ୍ବା କ୍ୱାରେଣ୍ଟାଇନ ନ ମାନିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ନାହିଁ । ଜିଲ୍ଲାପାଳ ସମାନ ଧରଣର ନିତ୍ୟ ବ୍ୟବହାର୍ଯ୍ୟ କିଟ୍ କରାଯିବ ଏବଂ ସେଗୁଡ଼ିକରେ ୫ଶହ ଟଙ୍କା ମୂଲ୍ୟର ସାମଗ୍ରୀ ରହିବ । କ୍ୱାରେଣ୍ଟାଇନ କେନ୍ଦ୍ର ଗୁଡ଼ିକରେ ବାଛବିଚାର ନକରି ସମସ୍ତଙ୍କୁ ସମାନ ଧରଣର ଦେଖାରଖା କରାଯିବ । ସରପଞ୍ଚମାନେ ବାହାର ରାଜ୍ୟରେ ଥିବା ତାଙ୍କ ପଞ୍ଚାୟତ ବାସିନ୍ଦାଙ୍କ ମଧ୍ୟରୁ ଜଣକ ସହିତ ଟେଲିଫୋନ ଯୋଗାଯୋଗରେ ରହିବେ । ଉକ୍ତ ବ୍ୟକ୍ତି ସମ୍ପୃକ୍ତ ଲୋକମାନଙ୍କୁ ସାଙ୍ଗରେ ଧରି ଦାୟୀତ୍ୱର ସହ ଫେରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିଦ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO