ଧର୍ମଶାଳା– କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଦିନ ରାତି ଏକ କରି ବ୍ୟାପକ ସଚେତନତା କରାଉଛି । କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସକାଳ ୬ଟାରୁ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ୪ ଘଂଟା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବଜାରକୁ ବାଇକ୍ ନ ଆଣିବାକୁ ପରାମର୍ଶ ଦିଆଯାଇଛି । ହେଲେ କରୋନା ଭୟକୁ ଗାଁ ଗଣ୍ଡାରେ ମାନୁ ନ ଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ରାସନ ସାମଗ୍ରୀ କିଣିବା ବାହାନାରେ ଯୁବକ ଗୋଷ୍ଠୀମାନେ ବାଇକ୍ ଚଢି ବୁଲୁଥିବା ଦେଖିବାକୁ ମିଳିଛି । ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ।
ଏହି ପଂଚାୟତରେ ଲୋକେ ଖୁଲମଖୁଲା ବୁଲୁଥିବା ବେଳେ ବ୍ରହ୍ମବରଦା ଫାଣ୍ଡିର ନଜର ପଡୁ ନାହିଁ । ଆଜି ବନ୍ଧଡିହ ସାପ୍ତାହିକ ହାଟରେ ଶହଶହ ସଂଖ୍ୟାରେ ଲୋକେ ହାଟରେ ସାମାଜିକ ଦୂରତାକୁ ନ ମାନି ଗହଳି ଚହଳି କରୁଥିବା ଦେଖିବାକୁ ମିଳିଛି । ଅନେକ ଲୋକ ମୁହଁରେ ମାକ୍ସ ବ୍ୟବହାର କରୁ ନ ଥିବା ବେଳେ ଏହା ଅନ୍ୟ ଲୋକମାନଙ୍କ ପାଇଁ ବିପଦର କାରଣ ସାଜିଛି । ଏହି ଘଟଣାକୁ ନେଇ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଯାଜପୁର ଜିଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳର ସଚେତନ ନାଗରିକ ଓ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।