-
କର୍ମଚାରୀ ମୁଖ୍ୟାଳୟ ଛାଡିଥିଲେ ମାମଲା ରୁଜୁ ହେବ
ବ୍ରହ୍ମପୁର: ରାଜ୍ୟ ସରକାର ଏପ୍ରିଲ୍ ୩୦ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରିଥିବାରୁ ଏହାକୁ କଡାକଡି ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । କେତେକ ବିଭାଗର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ କରାଯିବ । କୃଷି, ଉଦ୍ୟାନ କୃଷି ଓ ପାନୀୟ ଜଳ ବ୍ୟବସ୍ଥାଉପରେ ଅଧିକ ଧ୍ୟାନ ଦିଆଯିବ । ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ମୁଖ୍ୟାଳୟରେ ରହିବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅବମାନନା କରି ଯିଏ ମୁଖ୍ୟାଳୟ ଛାଡିଥିବ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ । ଯେଉଁ ଅଧିକାରୀ ସେମାନଙ୍କୁ ଅନୁମତି ଦେଇଥିବେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ତହସିଲଦାରମାନେ ବ୍ଲକ୍ସ୍ତରରେ ବୈଠକକରି ସମସ୍ତ ବିଭାଗର କର୍ମଚାରୀ ମାନଙ୍କ ତଥ୍ୟ ସଂଗ୍ରହ କରିବେ । ଅନୁପସ୍ଥିତ ଥିବା କର୍ମଚାରୀଙ୍କ ତାଲିକା ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରେରଣ କରିବେ । ଜିଲ୍ଲାକୁ ଥିବା ସାଧାରଣ ପ୍ରବେଶ ପଥଗୁଡିକରେ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଚେକ୍ ପୋଷ୍ଟ କରାଯିବ । ବିଭିନ୍ନ ବିଭାଗୀୟ କର୍ମଚାରୀ ଓ ପୋଲିସ ଏଠାରେ ଅହୋରାତ୍ର କାର୍ଯ୍ୟକରିବେ । ଅନୁପ୍ରବେଶ କରୁଥିବା ସବୁ ଯାନବାହାନର ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଏକ ସ୍ୱତନ୍ତ୍ର ରେଜିଷ୍ଟ୍ରରରେ ଉଲ୍ଲେଖ ରହିବ । ଗ୍ରାମାଞ୍ଚଳରେ ପନିପରିବା ପରିବହନ ପାଇଁ ଇଛୁକ ଚାଷୀଙ୍କୁ ପାସ୍ ଦିଆଯିବ । ଚାଷୀମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ସ୍ଥାନୀୟ ଆର୍ଆଇଙ୍କ ନିକଟରେ ଦରଖାସ୍ତ କରିବେ । ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାସ୍ତରରୁ ସେମାନଙ୍କୁ ପାସ୍ ପ୍ରଦାନ କରାଯିବ । ବାହାର ଫେରନ୍ତାମାନଙ୍କୁ କ୍ୱାରେଣ୍ଟଶଇନ୍ରେ ରଖାଯିବ । ଏଥିରେ ଅବହେଳା ହେଲେ ସମ୍ପୃକ୍ତ ବିଡିଓ ଓ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଲକ୍ ଡାଉନ୍ ପରେ କେତେଲୋକ ବାହାର ରାଜ୍ୟରୁ ଫେରିବେ ତାର ପ୍ରାଥମିକ ଆକଳନ ହେବ । ଗ୍ରାମ, ଗ୍ରାମ ପଞ୍ଚାୟତ ଓ ବ୍ଲକ୍ସ୍ତରୀୟ ସଂଖ୍ୟା ଆଗରୁ ସ୍ଥିର କରାଯାଇ ସେମାନଙ୍କ ପାଇଁ କ୍ୱରାଣ୍ଟାଇନ୍ ସ୍ଥାନ ନିରୂପଣ ହେବ । ଯେଉଁମାନେ ବାହାରୁ ଫେରିବେ ସେମାନଙ୍କ ପାଇଁ ୧୪ଦିନିଆ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହେବ । ଜିଲ୍ଲାରେ ଆଜି ସୁଦ୍ଧା ୭ଲକ୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହୋଇଛି । ଯେଉଁ ଗ୍ରାମ ପଞ୍ଚାୟତରେ ଏହା ସମ୍ପୂର୍ଣ୍ଣ ହେଲା ସେଠାର ନିର୍ବାହୀ ଅଧିକାରୀ ଲିଖିତ ଆକାରରେ ଜଣାଇବେ । ସହରାଞ୍ଚଳରେ ନିର୍ବାହୀ ଅଧିକାରୀମାନେ ମଧ୍ୟ ଲିଖିତ ଆକାରରେ ଜଣାଇବେ । ସାପ୍ତାହରେ ୩ଦିନ ଲେଖାଏଁ ପୁରୁଷ ମହିଳା ଭିନ୍ନ ଭିନ୍ନ ଦିନରେ ବଜାର ସଉଦା କରି ଆସିବେ ବୋଲି ଜିଲ୍ଲାପାଳ ବିଚାର କରୁଛନ୍ତି । ଏହା ଦ୍ୱାରା ବାହାରକୁ ଲୋକଙ୍କ ଗମନାଗମନ ଅଧିକ ସୀମିତ କରାଯାଇପାରିବ । ଏଥିପାଇଁ ଉପସ୍ଥିତ ଅଧିକାରୀଙ୍କ ଅନୁମତି ପାଇଁ ଜିଲ୍ଲାପାଳ ଅନୁରୋଧ କରିବେ ।