

ଘଟଗାଁ- କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପିଠରେ ୭ଦିନ ଧରି ପାଳିତ ହେଉଥିବା ମାଙ୍କ ମୁଖ୍ୟ ପର୍ବ ଚଇତି ପର୍ବର ମୁଖ୍ୟଦିନ ହେଉଛି ମହା ବିଷୁବ ସଂକ୍ରାନ୍ତି । ମାଙ୍କ ଏହି ପର୍ବ ୮୪ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ପର୍ବ ୧୯୩୭ ମସିହା ଠାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରତ୍ୟେକ ବର୍ଷ ମହା ଆଡମ୍ବର ସହକାରେ ପାଳନ କରାଯାଇଥାଏ । କିନ୍ତୁ, ଚଳିତ ବର୍ଷ କରୋନା ପାଇଁ ଏହି ଉତ୍ସବ ଫିକା ପଡିଯାଇଛି । ଆଜି ଦିନରେ ମାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ, କରୋନା କଟକଣା ପାଇଁ ଆଜି ଭକ୍ତ ଶୂନ୍ୟ ହୋଇପଡିଛି ମାଙ୍କ ପୀଠ । ତେବେ ପଣା ସଂକ୍ରାନ୍ତିରେ ସମସ୍ତ ନିତିକାନ୍ତି ମନ୍ଦିରରେ ସୂଚାରୁ ରୂପେ ଚାଲିଛି ।
ଏହି ଅବସରରେ ଆଜି ସକାଳେ ପୂଜକମାନେ ମାଙ୍କୁ କ୍ଷୀର, ଲହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଆଦି ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ ମହାସ୍ନାନ କାର୍ଯ୍ୟ ସମାପନ କରିଥିଲେ । ପରେ ପରେ ପୂଜକମାନେ ମାଙ୍କୁ ସୁନାବେଶରେ ସଜ୍ଜିତ କରାଇଛନ୍ତି । ଧୂପ, ଦୀପ, ନୈବ୍ୟଦ, ଶଂଙ୍ଖ, ଘଣ୍ଟ ଧ୍ୱନୀ ସହ ମାଙ୍କ ସକାଳ ଆଳତୀ ସମାପନ ହୋଇଛି । ଏଥିସହ ମାଙ୍କ ନିକଟରେ ବାଲ୍ୟଭୋଗ ଲଗାଯାଇଛି । ଦିନ ୧୦ଟା ସମୟରେ ମାଙ୍କୁ ଖେଚୁଡି ଭୋଗ ଓ ସ୍ୱତନ୍ତ୍ର ପଣାଭୋଗ ଲଗାଯାଇଛି । ଦିନ ୧୨ଟାରେ ମାଙ୍କୁ ଅନ୍ନସେବନ କରାଯିବା ସହ ଅପରାହ୍ନ ୧ଟା ସମୟରେ ମନ୍ଦିରର ପହଡ ପଡିବ । ତେବେ ଲକଡାଉନ ଯୋଗୁ ମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ଦର୍ଶନ କରିନପାରି ମନ୍ଦିର ବାହାରେ କିଛି ଭକ୍ତ ମାଙ୍କ ସ୍ମରଣ କରୁଥିବା ଦେଖିବାକୁ ମିଳିଥିଲା । 
