ଯାଜପୁର– ଯାଜପୁର ସହର ଓ ଏହାର ଆଖପାଖ ଅଂଚଳରେ କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ଭାଙ୍ଗିଛି ଶହ ଶହ ବର୍ଷ ତଳରୁ ଚଳି ଆସିଥିବା ପରମ୍ପରା । ଜୀବନ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ଘରେ ରହିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ । ଏପରି ସ୍ଥିତିରେ ଆଜି ପଣା ସଂକ୍ରାନ୍ତୀ ଅବସରରେ ଜିଲ୍ଲାର ଦଶରଥପୁର ବ୍ଲକ କୁଆଁସ ମଙ୍ଗଳା, କୋରେଇ ବ୍ଲକ ଅନ୍ତର୍ଗତ ତଳଗଡ଼ ପଚାଂୟତର ନୂଆଗଡ଼ ଗ୍ରାମର ମଙ୍ଗଳା ପୀଠ, ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡ ଗ୍ରାମର ମଙ୍ଗଳା ପୀଠ ଭକ୍ତ ଶୂନ୍ୟ ହୋଇପଡିଛି । ବରୀ ବ୍ଲକ ଅଧିନ ରନ୍ତଗିରି ପାହାଡ଼ ଶୀର୍ଷରେ ଥିବା ମହାକାଳଙ୍କ ପୀଠର ଚାଙ୍ଗଡ଼ ଯାତ୍ରା ଏବଂ ବାରବାଟୀର ଶିଙ୍ଗାପୁର ଯାତ୍ରା ବନ୍ଦ ରହିଛି । ଏସବୁ ସ୍ଥାନ ଶୂନ୍ ଶାନ୍ ହୋଇପଡିଛି । ହେଲେ ଠାକୁରଙ୍କ ପୂଜାର୍ଚ୍ଚନା ଯଥାବିଧି ସମାପନ ହୋଇଛି । ପ୍ରତ୍ୟେକ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାପକ ଫୋର୍ସ ମୁତୟନ ଅଛନ୍ତି ।
ସେହିପରି ଜାରକା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଯାଜପୁର ଟାଉନ୍ ସ୍ଥିତ ଲଳିତେଶ୍ୱର ଏବଂ ଅନ୍ୟାନ୍ୟ ଶୈବ ପୀଠରେ ଠାକୁରଙ୍କ ପୂଜାର୍ଚ୍ଚନା ଯଥା ବିଧି ସମାପନ ହୋଇଥିଲା । ହେଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିନଥିଲା ଏଠାରେ ।