ଭୁବନେଶ୍ୱର – ରାଜ୍ୟଗୁଡ଼ିକରେ ସାଂସ୍କୃତିକ ସମ୍ପର୍କର ଅଭିବୃଦ୍ଧି ଓ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ସମନ୍ୱିତ ସହଯୋଗ କରିବା ଉପରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଛନ୍ତି । କୋଲକାତାରେ ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ରର କାର୍ଯ୍ୟକାରିଣୀ ତଥା ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉପରୋକ୍ତ ମର୍ମରେ ଓଡ଼ିଶାରେ କେନ୍ଦ୍ରର ଏକାଧିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇନଥିବା ପ୍ରକାଶ କରିଛନ୍ତି ।
ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଜଗଦୀପ ଧନକରଙ୍କ ପୌରୋହିତ୍ୟରେ ରାଜଭବନରେ ଅନୁଷ୍ଠିତ ଏହି ଗୁରୁତ୍ୱପୂଣ୍ଣ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତାଙ୍କ ମତ ରଖିଥିଲେ । ସେ କହିଥିଲେ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାଷିକୀ ପାଳନ କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜନ ହେଉଥିବା ଦୃଷ୍ଟିରୁ ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ଓଡ଼ିଶାର ସଂସ୍କୃତି ବିଭାଗ ସହିତ ଯଥାର୍ଥ ସମନ୍ୱୟ ରକ୍ଷାକରି ଏହି କାର୍ଯ୍ୟକ୍ରମକୁ ବିସ୍ତାରିତ କରିବା ବାଞ୍ଛନୀୟ । ସେହିପରି ଓଡ଼ିଶା ସହିତ ଯଥେଷ୍ଟ ପରିଚିତି ଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ସଂଯୋଜକ ଅଧିକାରୀ ଭାବରେ ଅବସ୍ଥାପିତ କରିବାକୁ ମନ୍ତ୍ରୀ କହିଥିଲେ ।
ଏହି ବୈଠକରେ ଆସାମ, ଝାଡ଼ଖଣ୍ଡ, ମଣିପୁର, ଓଡ଼ିଶା, ସିକିମ, ତ୍ରିପୁରା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ-ନିକୋବର କେନ୍ଦ୍ରଶାସିତ ଅଂଚଳର ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଯୋଗଦେଇଥିଲେ । ଓଡ଼ିଶାରୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାମକୃଷ୍ଣ ସାହୁ, ଓଡ଼ିଶାରୁ ମନୋନୀତ ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ପ୍ରବୋଧ ରଥ ଓ ଶ୍ରୀ ଗୋପାଳ ଦାସ ବୈଠକରେ ଉପସ୍ଥିତ ଥିଲେ ।