
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ଅଞ୍ଚଳରେ ରବିବାର ଦିନ ଠାରୁ ଗରିବ, ଦିନମଜୁରୀଆ, ଖଟିଖିଆ, ଭିକାରୀ, ବେସାହାରାଙ୍କୁ ଖାଦ୍ୟ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରତି ବ୍ଲକ୍ର ବିଡିଓ ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଥିବା ୫୦୩ଟି ପଞ୍ଚାୟତ, ୧୭ଟି ଏନ୍ଏସି ଅଞ୍ଚଳର ପ୍ରତି ପଞ୍ଚାୟତ ଓ ୱାର୍ଡରେ ୧୦୦ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରକାରେ ୫୫୦ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ୭୫ହଜାର ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ସେହିଭଳି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ବସ୍ତି ବାସିନ୍ଦାଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ(ରାସନ ସାମଗ୍ରୀ)ର ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ଯେଭଳି ଜଣେ ବି ଭୋକିଲା ନ ରୁହନ୍ତି ସେଥିନିମନ୍ତେ ପଞ୍ଚାୟତସ୍ତରରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏକହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।