-
କରୋନାକୁ ନେଇ କୋକୁଆ ଭୟ : ରେଶମ ସହରରେ ବଜାର, ମଲ୍ ବନ୍ଦ

ବ୍ରହ୍ମପୁର: ଆଜିଠୁ ରେଶମ ସହର ବ୍ରହ୍ମପୁରରେ ସମସ୍ତ ସପିଂମଲ୍କୁ ବନ୍ଦ କରିଛି ବିଏମ୍ସି । ଏନେଇ ବିଏମ୍ସି ପ୍ରଶାସକ ତଥା ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଓ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ବିଏମ୍ସି ଜାରି କରିଥିବା ଏସ୍ଓପିରେ ସହରର ସମସ୍ତ ସପିଂମଲ୍, ଲୁଗା ଦୋକାନ, ଡ୍ରେନ୍ ଦୋକାନ, ସୁନା ଦୋକାନ, ମୋବାଇଲ୍ ସପ୍ ସହ ସାଇ କମ୍ପେ୍ଲକ୍ସ, ମୟୁରୀ ଟାୱାର, ଗଣେଶ ମାର୍କେଟକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଗମ ପକ୍ଷରୁ କୁହାଯାଇଛି । ସୋମବାର ଦିନ ପୂର୍ବାହ୍ନ ୧୧ଟା ବେଳେ ଜିଲ୍ଲାପାଳ, କମିଶନର, ବ୍ରହ୍ମପୁର ଉପଜିଲ୍ଲାପାଳ ପ୍ରମୁଖ ଅନ୍ନପୂର୍ଣ୍ଣା ମାର୍କେଟ, ଗିରି ମାର୍କେଟ ଛକ, ସାଇ କମ୍ପେ୍ଲକ୍ସ, ବଡବଜାର, ଗଣେଶ ମାର୍କେଟ, ଗାଡି ଶୋ ରୁମ୍, ସାନ ବଜାର ଅଞ୍ଚଳରେ ଥିବା ସୁନା ଦୋକାନୀଙ୍କ ନିକଟକୁ ଯାଇ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଚ୍ୟୁତ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟାନ୍ୟ କିଛି ଦୋକାନ ଯେଭଳି ଖୋଲା ରହିବ ନାହିଁ କି ଜନଗହଳି ରହିବେ ନାହିଁ ସେ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ ଦୋକାନ ବନ୍ଦ କରିବା ସହ ସହରରେ ଯେଭଳି ଜନଗହଳି ନରହିବ ସେଥିପ୍ରତି ତୀକ୍ଷଣ ନଜର ରଖିବାକୁ ବିଏମ୍ସି କମିଶନରଙ୍କୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ୧୪୪ଧାରା ଜାରି ହୋଇଥିବାରୁ ରେଶମ ସହରରେ ମଧ୍ୟ ଏହା ପାଳନ କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁର ରେଳ ଷ୍ଟେଶନ୍କୁ ଦୈନନ୍ଦିନ ଆସୁଥିବା ଯାତ୍ରୀଙ୍କ ଟିକ୍ନିକ୍ ନଜର ରଖାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ପୁରୁଣା ବସ୍ଷ୍ଟାଣ୍ଡରେ ଥିବା ଭି-୨, ଭିସାଲ ମେଗାମାର୍ଟ, କଲ୍କତା ବଜାର ଆଦିକୁ ବନ୍ଦ କରାଯାଇଛି । ଗିରି ମାର୍କେଟରେ ଥିବା ହୋଲ୍ସେଲ୍ ଲୁଗା ଦୋକାନକୁ ମଧ୍ୟ ବନ୍ଦ କରାଯାଇଥିବା ଜଣାପଡିଛି । ବଜାର ବନ୍ଦ ହେବା ଫଳରେ ସନ୍ଧ୍ୟାରେ ଗହଳି କମିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ କହିଛନ୍ତି ଯେ, ଡରିବାର ନାହିଁ । ସତର୍କତାର ସହ ନିଜ ପରିବାର ସହିତ ମଜା ନିଅନ୍ତୁ । ଆବଶ୍ୟକସ୍ଥଳେ ଘରରୁ ପଦାକୁ ବାହାରନ୍ତୁ ନାହିଁ । ଯଦି ବାହାରିବେ ମୁହଁରେ ମାସ୍କ ଲଗାନ୍ତୁ, ହାତକୁ ବାରମ୍ବାର ସାବୁନରେ ଧୁଅନ୍ତୁ ବୋଲି ସେ ସହରବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସହରର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହାୟତାରେ ମାସ୍କ ତିଆରି କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀ ଓ କାର୍ଯ୍ୟାଳୟକୁ ଯୋଗାଇ ଦିଆଯିବ । ତେଣୁ ଏହି ରୋଗ ଆସିବା ପୂର୍ବରୁ ସତର୍କ ରହିଲେ ଏହାର ମୁକାବିଲା କରିପାରିବା ବୋଲି ଜିଲ୍ଳାପାଳ କହିଛନ୍ତି । ଏଥିପୂର୍ବରୁ ଜିଲ୍ଲାପାଳ ବ୍ରହ୍ମପୁର ବଡ ମେଡିକାଲ୍ରେ ଖୋଲାଯାଇଥିବା ଆଇସୁଲେସନ ୱାର୍ଡକୁ ଯାଇ ସ୍ଥିତି ପରିଖିଥିଲେ । ସେଠାରେ ପାତ୍ରପୁର ଅଞ୍ଚଳର ଦୁଇ ସ୍ୱାମୀସ୍ତ୍ରୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ରକ୍ତ ନମୁନା ପଠାଯାଇଛି ବୋଲି ସେ କହିଥିଲେ । ଏହାପରେ ସିଟି ହସ୍ପିଟାଲକୁ ଯାଇ ଆଇସୁଲେସନ ୱାର୍ଡ ବୁଲି ଦେଖିବା ସହ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଦେହରେ କରୋନା ଭାଇରସ୍ ସମ୍ପର୍କିତ ଲକ୍ଷଣ ଦେଖିଲେ ତୁରନ୍ତ ଆୟୁସୁଲେସନ ୱାର୍ଡରେ ରଖି ଚିକିତ୍ସା କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଓ ସାନିଟାଇଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହରରେ କିଛି ଦୋକାନୀ ଚଢ଼ା ଦରରେ ମାସ୍କ ବିକ୍ରି କରୁଥିବା ଜଣାପଡିଛି । ତେଣୁ ଏଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO